ସୋମବାରରୁ ମୌସୁମୀ ଅଧିବେଶନ ଆରମ୍ଭ

36

କନକ ବ୍ୟୁରୋ: ସୋମବାରଠାରୁ ଆରମ୍ଭ ହେବ ସଂସଦର ମୌସୁମି ଅଧିବେଶନ । ଯାହାକି ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିବେଶନକୁ ଆଗୁଆ ଆରମ୍ଭ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥର ରାଷ୍ଟ୍ରପତି ନିର୍ବାଚନ ଦିନ ହିଁ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି ।

ଅଧିବେଶନର ପ୍ରଥମ ଦିନରେ ଲୋକସଭାର ସଦସ୍ୟ ବିନୋଦ ଖାନ୍ନା ଓ ରାଜ୍ୟସଭା ସାଂସଦ ପଲ୍ଲବୀ ରେଡ୍ଡିଙ୍କର ପରଲୋକ ହୋଇଯାଇଥିବାରୁ ସେମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଉଭୟ ଗୃହକୁ ଦିନକ ପାଇଁ ମୁଲତବୀ କରାଯିବ । ଏହାପରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନରେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଭୋଟଦାନ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

ବିରୋଧୀ ଦଳର କେତେକ ନେତାଙ୍କ ବିରୋଧରେ ସିବିଆଇ ଏବଂ ଇଡିର ଚଢ଼ଉକୁ ବିରୋଧ କରି ସଂସଦରେ ଏହାକୁ ପ୍ରମୁଖ ପ୍ରସଙ୍ଗ କରିବାକୁ ବିରୋଧୀଦଳଗୁଡ଼ିକ ଯୋଜନା କରିଛନ୍ତି । ତୃଣମୂଳ ନେତାଙ୍କ ଲାଂଚ କାରବାର ନେଇ ଯାଂଚ, ପୂର୍ବ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଏବଂ ଆରଜେଡି ନେତା ଲାଲୁ ପ୍ରସାଦଙ୍କ ଘରେ ସିବିଆଇ ଚଢ଼ଉ ଆଦିକୁ ବିରୋଧ କରି ସଂସଦରେ ହଙ୍ଗାମା କରିବା ପାଇଁ ଯୋଜନା ହୋଇଛି ।

ଚାଷୀ ଆତ୍ମହତ୍ୟା ଏବଂ ଋଣଛାଡ଼ ପ୍ରସଙ୍ଗ ମଧ୍ୟ ଚର୍ଚ୍ଚାରେ ରହିବ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ଭାରତ-ଚୀନ୍ ସୀମା ବିବାଦ, କଶ୍ମୀର ହିଂସା, ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ ଘେରିବାକୁ ଯୋଜନା ହୋଇଛି । ତେବେ ମୌସୁମି ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ଏ ବାବଦରେ ଆସନ୍ତାକାଲି ଦୁଇଟି ସର୍ବଦଳୀୟ ବୈଠକ ଡକାଯାଇଛି । ଗୋଟିଏ ବୈଠକ ଅପରାହ୍ନରେ ସରକାର ଡକାଇଥିବା ବେଳେ ସନ୍ଧ୍ୟାରେ ଲୋକସଭା ବାଚସ୍ପତି ଆଉ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ମୌସୁମି ଅଧିବେଶନକୁ ଫଳପ୍ରଦ କରିବା ପାଇଁ ବୈଠକରେ ଆଲୋଚନା ହେବ ।