କ୍ୟାପଟେନ ହେବ ତ ଏମିତି ! ଧୋନିଙ୍କ ଗୋଟିଏ ଇସାରା ବଦଳାଇ ଦେଲା ମ୍ୟାଚର ମୋଡ, ଜାଣନ୍ତୁ ଚେନ୍ନାଇ ବିଜୟ ପଛର କାହାଣୀ

36

କନକ ବ୍ୟୁରୋ : ଆରମ୍ଭ ହୋଇଛି ଆଇପିଏଲ ମହାସମର । ଫଟାଫଟ କ୍ରିକେଟର ମଜା ଉଦଘାଟନୀ ମ୍ୟାଚରୁ ହିଁ ଦେଖିବାକୁ ମିଳିଛି । ୱାଙ୍ଖଡେ ଷ୍ଟାଡିୟରେ ଖେଳାଯାଇଥିବା ଆଇପିଏଲର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ରୋମାଞ୍ଚକର ମ୍ୟାଚରେ ପରାସ୍ତ କରି ଜବରଦସ୍ତ କମବ୍ୟାକ କରିଛି ଚେନ୍ନାଇ ସୁପର କିଙ୍ଗସ । ବ୍ରାଭୋଙ୍କ ଧୂଆଁଧାର ୬୮ ରନ ବଳରେ ମୁମ୍ବାଇ ହାତରୁ ମ୍ୟାଚ ଛଡାଇ ଆଣିଥିଲା ଚେନ୍ନାଇ । ତେବେ ୧୯ ଓଭରର ଶେଷ ବଲରେ ବ୍ରାଭୋ ଆଉଟ ହେବା ଚେନ୍ନାଇ ପାଇଁ ଜବରଦସ୍ତ ଝଟକା ଥିଲା । ଏହାପରେ ପଡିଆକୁ ପୁଣିଥରେ ଫେରିଥିଲେ ଆହତ ହୋଇଥିବା କେଦାର ଯାଦବ । ଚେନ୍ନାଇକୁ ଜିତିବା ପାଇଁ ୭ରନ ଆବଶ୍ୟକ ଥିବା ବେଳେ ହାତରେ ଥିଲା ୬ଟି ବଲ ।

ପ୍ରଥମ ତିନିଟି ବଲ ଡଟ ହେବା ପରେ ଚେନ୍ନାଇର ଚିନ୍ତା ବଢି ଯାଇଥିଲା । କିନ୍ତୁ ଏହାପରେ ପ୍ୟାଭିଲିୟନରୁ ଧୋନିଙ୍କ ଗୋଟିଏ ଇସାରା ପୂରା ମ୍ୟାଚକୁ ବଦଳାଇ ଦେଇଥିଲା । ପଡ଼ିଆ ଓ ପ୍ୟାଭିଲିୟନ୍ ଭିତରେ ଥିବା ସମନ୍ୱୟକୁ କେମିତି ଜଣେ ଦକ୍ଷ ଅଧିନାୟକ ପରିଚାଳନା କରନ୍ତି ତାହା ମହେନ୍ଦ୍ର ସିଂ ଧୋନି ଆଖିରେ ଆଖିରେ ଦର୍ଶାାଇଥିଲେ । ବିଶ୍ୱ କ୍ରିକେଟର ସବୁଠୁ ବଡ ମ୍ୟାଚ୍ ଫିନିସର ହିଁ କେମିତି ମ୍ୟାଚ ଫିନିସ କରାଯାଏ ତାହା ଆଖିରେ ଆଖିରେ ପଡିଆ ଭିତରେ ଥିବା ବ୍ୟାଟସମ୍ୟାନଙ୍କୁ କହିଥିଲେ ।

ମ୍ୟାଚର ଶେଷ ଓଭର । ବ୍ରାଭୋ ଛାଡ଼ି ଯାଇଥିବା ଦାୟିତ୍ୱର ବୋଝ ଥାଏ, କୋଦର ଯାଦବଙ୍କ ଉପରେ । ୬ ବଲ, ଦରକାର ଥାଏ ୭ ରନ୍ । ୩ଟି ବଲରେ ଗୋଟିଏ ରନ୍ କରିବାରେ ଅସମର୍ଥ ହେଉଥିବା କେଦାରଙ୍କୁ ମିଳିଥିଲା ଧୋନିଙ୍କ ଇସାରା । ପଛକୁ ସଟ୍ ଖେଳିବା ପାଇଁ ପ୍ୟାଭିଲିୟନରୁ କେଦାରଙ୍କୁ ଇସାରା କରିଥିଲେ ଧୋନି । ଆଉ ତା ପରେ ଯାହା ଘଟିଲା-ଆଇପିଏଲର ଉଦଘାଟନୀ ମ୍ୟାଚକୁ ସବୁଦିନ ପାଇଁ ସ୍ମରଣୀୟ କରିଦେଲା । ଛକ୍କା ପଛକୁ ଚୌକା । ମୁମ୍ବାଇ ହାତରୁ ମ୍ୟାଚ୍ ଛଡ଼ାଇ ଆଣିଲା ଚେନ୍ନାଇ । ଦୀର୍ଘ ଦିନର ବ୍ୟବଧାନ ପରେ କ୍ୟାପଟେନ୍ ଦାୟିତ୍ୱକୁ ଓହ୍ଲାଇଥିଲେ ଧୋନି । ହେଲେ ଅନ୍ଦାଜ୍ ଥିଲା ପୁରୁଣା । ଯାହା ପୁଣି ଥରେ ପ୍ରମାଣ କରିଦେଲା ଧୋନୀ ହେଉଛନ୍ତି ଶ୍ରେଷ୍ଠ ।