ଏଥର ରଜରେ କୋହଲା ପାଗ : ଠାଏ ଠାଏ କାଳବୈଶାଖୀ ଆଶଙ୍କା,ଉପକୂଳ ଓ ଉତ୍ତରରେ ଏବେ ନାହିଁ ବର୍ଷା

33

କନକ ବ୍ୟୁରୋ: ରଜରେ ପାଗ କୋହଲା ରହିବ । ଠାଏ ଠାଏ ପ୍ରବଳ ବର୍ଷା ହୋଇପାରେ। ମାତ୍ର ସବୁଆଡ଼େ ବର୍ଷା ବିତ୍ପାତ ସମ୍ଭାବନା କ୍ଷୀଣ । ୧୪ ତାରିଖ ବେଳକୁ ମୌସୁମୀ ବର୍ଷାର ପରିମାଣ ଟିକିଏ କମିଯିବ । ୧୫ ଓ ୧୬ ବେଳକୁ ପାଗ ଖୁଖିଲା ରହିବା ସହ ଆକାଶ ମେଘାଚ୍ଛନ୍ନ ରହିପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀ ଗତକାଲି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶା ଜିଲ୍ଲା ସମେତ ଉପକୂଳ ଓଡ଼ିଶାର କିଛି ଅଂଶକୁ ଛୁଇଁଛି। ମାଲକାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଗଜପତି ଜିଲ୍ଲାରେ ମୌସୁମୀ ପହଞ୍ଚିସାରିଛି।

ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼ ଜିଲ୍ଲାର କିଛି ଅଂଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ୨୪ ଘଣ୍ଟା ମଧ୍ୟରେ ଉକ୍ତ ଜିଲ୍ଲାଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରବେଶ କରିବ। ୧୧ ଓ ୧୨ ତାରିଖରେ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଆକାଶ ମେଘାଚ୍ଛନ୍ନ ରହିବା ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଡ. ଏଚ୍.ଆର୍. ବିଶ୍ୱାସ କହିଛନ୍ତି ଯେ ଆଜି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଆଶଙ୍କା ରହୁଛି। ୧୨ ଓ ୧୩ ତାରିଖରେ କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ପୁରୀ ସମେତ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆକଳନ କରାଯାଇଛି। ୧୪ ତାରିଖ ବେଳକୁ ବର୍ଷାର ପରିମାଣ କମିବ। କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର, ବାଲେଶ୍ୱର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୌସୁମୀ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ଉପକୂଳ ଓଡ଼ିଶାରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ବୋଲି ସେ କହିଛନ୍ତି।

ପାଣିପାଗ ବିଜ୍ଞାନୀଙ୍କ ମତରେ ୧୨ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବିସ୍ତୁତ ବର୍ଷା ହେବାର ସମ୍ଭାବନା ରହିଛି। ଉପକୂଳ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ବାକି ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୪ ତାରିଖଠାରୁ ବର୍ଷା କମିଯିବ। ୧୮ ପର୍ୟ୍ୟନ୍ତ କଁ ଭାଁ ବର୍ଷା ହୋଇପାରେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ମୌସୁମୀ ଦକ୍ଷିଣ ଓଡ଼ିଶାରେ ରହିଥିଲେ ମଧ୍ୟ ଗତ ୨୪ ଘଣ୍ଟାରେ ସେଭଳି ବର୍ଷା ହୋଇ ନାହିଁ। ମାଲକାନଗିରିରେ ୧୫ ମି.ମି. ବର୍ଷା ହାଇଛି। ଝାରସୁଗୁଡ଼ାରେ ୩୧ ମି.ମି., କୋରାପୁଟରେ ୧୦.୬, ସୋନପୁରରେ ୮.୨, ବାଲେଶ୍ୱରରେ ୧୩.୪, ସୁନ୍ଦରଗଡ଼ରେ ୪ ମି.ମି. ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।