ଆକାଶରେ ଘର ! ପରିବାରର ସମସ୍ତ ସଦସ୍ୟ ଜଣେ ଜଣେ ପାଇଲଟ୍

47

କନକ ବ୍ୟୁରୋ : ନୀଳ ଆକାଶରେ ଘୂରି ବୁଲୁଛି ପୂରା ପରିବାର । କେତେବେଳେ ବାପା ତ ପୁଣି କେତେବେେଳେ ମା । ଆପଣ ଭାବୁଥିବେ ଯେ ଏହି ପରିବାର କୌଣସି ପ୍ରତିଷ୍ଠିତ ବ୍ୟବସାୟୀ କିମ୍ବା ରାଜନେତାଙ୍କ ପରିବାର ହୋଇଥିବ । କିନ୍ତୁ ନାଁ ଆମେ କହୁଛୁ  ଦିଲ୍ଲୀର ରୋହିତ ଭସିନଙ୍କ ପରିବାର କଥା । ନୀଳ ଆକାଶର ବେତାଜ ବାଦଶାହା କହିଲେ ଅତ୍ୟୁକ୍ତି ହେବ ନାହିଁ । ଦୀର୍ଘ ଏକ ୬୭ ବର୍ଷ ଧରି ଖୋଲା ଆକାଶରେ ରାଜ କରୁଛି ଭସିନ ପରିବାର ।  ୪ ପ୍ରାଣୀ କୁଟୁମ୍ବକୁ ନେଇ  ଭସିନ ପରିବାର । କିନ୍ତୁ ପରିବାରର ପ୍ରତି ସଦସ୍ୟ ଜଣେ ଜଣେ ଏୟାରଲାଇନ୍ସ ପାଇଲଟ ।  ପାଖାପାଖି ୭ ଦଶନ୍ଧି ଧରି ନୀଳ ଆକାଶରେ ରାଜ କରୁଥିବା ଭସିନ ପରିବାରର କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ  ।

ଭସିନ ପରିବାରର ୪ ଜଣ ସଦସ୍ୟ ଜଣେ ଜଣେ ବିମାନ ଚାଳକ । ଭାରତୀୟ ଏୟାରଲାଇନ୍ସ ସହ ଦୀର୍ଘ ତିନି ପିଢି ଧରି ସଂପୃକ୍ତ ଅଛନ୍ତି ଏହି ପରିବାର । ଏହି ଲମ୍ବା ଯାତ୍ରାର ଆରମ୍ଭ ହୁଏ ୧୯୫୪ ମସିହାରେ ।  ରୋହିତଙ୍କ ପିତା କ୍ୟାପଟେନ ଜୟ ଦେବ ଭସିନ ଇଣ୍ଡିଆନ ଏୟାରଲାଇନ୍ସରେ ପାଇଲଟ ଭାବେ ଯୋଗ ଦେଇ ଏହି ଲମ୍ବା ଯାତ୍ରାର ଶୁଭାରମ୍ଭ କରିଥିଲେ । ସେତେବେଳେ ସେ କମାଣ୍ଡର ହେବାର ସୋଭାଗ୍ୟ ଲାଭ କରିଥିଲେ । ଏହାପରେ ତାଙ୍କ ପୁଅ ରୋହିତ ମଧ୍ୟ ତାଙ୍କ ପଥକୁ ଅନୁସରଣ କରି ପାଇଲଟ ହେବାର ସୋଭାଗ୍ୟ ଲାଭ କରିଥିଲେ ।

କିନ୍ତୁ ଏଇଠି ସରିନଥିଲା ଏହି ଯାତ୍ରା । ଆକାଶରେ ଉଡୁ ଉଡୁ ରୋହିତଙ୍କ ଜୀବନରେ ଆସିଥିଲେ କ୍ୟାପଟେନ ନିବେଦିତା । ଆଉ ନିବେଦିତା ମଧ୍ୟ ପେଶାରେ ଥିଲେ ପାଇଲଟ  । ୧୯୮୪ ମସିହାରେ ୨୦ ବର୍ଷ ବୟସରେ ନିବେଦିତା ଇଣ୍ଡିଆନ ଏୟାଲାଇନ୍ସରେ ଚାକିରୀ ଅଫର ପାଇଥିଲେ ଏବଂ ୨୬ ବର୍ଷ ବୟସରେ ବୋଇଂ ୭୩୭ ବିମାନ ଉଡାଇ କମ ବୟସରେ ବିଶ୍ୱର ସର୍ବକନିଷ୍ଠ କ୍ୟାପଟେନ ହେବାର ସୋଭାଗ୍ୟ ଲାଭ କରିଥିଲେ ।

ବାହାହେବା ପରେ ପିଲାଙ୍କୁ ସମୟ ଦେବା ପାଇଁ ନିବେଦିତା ଚାକିରୀ ଛାଡିବାକୁ ସ୍ଥିର କରିଥିଲେ । କିନ୍ତୁ ତାଙ୍କ ସ୍ୱପ୍ନ ତାଙ୍କୁ ବାଧ୍ୟ କରିଥିଲା ନିଷ୍ପତି ବଦଳାଇବାକୁ । ଆଉ ସମୟ ବିତିବା ସଙ୍ଗେ ସଙ୍ଗେ ଏହି ଲମ୍ବା ଇନିଂସର ରାସ୍ତାରେ ଯୋଗ ଦେଇଥିଲେ ପୁଅ ରୋହନ ଓ ଝିଅ ନିହାରିକା । ବାପା ମା’ଙ୍କ ପେଶାକୁ ଅପଣାଇ  ନେଇଥିଲେ ଉଭୟ ସନ୍ତାନ । ପୁଅ ରୋହନ ଦୀର୍ଘ ଏକ ଦଶନ୍ଧି ଧରି ଏୟାର ଇଣ୍ଡିଆର କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ବେଳେ ୨୬ ବର୍ଷିୟା ଝିଅ ନୀହାରିକା ଚାରି ବର୍ଷ ଧରି ଇଣ୍ଡିଗୋ ବିମାନର ପାଇଲଟ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ସବୁଠାରୁ ମଜାଦାର କଥା ହେଲା, ଏହି ବାପା-ପୁଅ ଯୋଡି ସାଥୀ ହୋଇ ୧୦ରୁ ଅଧିକ ଥର ବିମାନ ଉଡାଇ ସାରିଲେଣି ।