ଗୋଳିଆ ହେଉଛି ଜିଡିପି ଅଙ୍କ । ତଳକୁ ଖସୁଛି ଅଭିବୃଦ୍ଧି ହାର, ମାନିଲେ କେନ୍ଦ୍ର ସରକାର ।

243

କନକ ବ୍ୟୁରୋ: ଆର୍ଥିକ ଅଭିବୃଦ୍ଧିର ଗତି ତଳକୁ ତଳ ଖସୁଛି । ୨୦୧୯-୨୦ ବର୍ଷରେ ଆର୍ଥିକ ଅଭିବୃଦ୍ଧି ୫ ପ୍ରତିଶତ ବଢିବା ନେଇ ଆକଳନ କରାଯାଇଛି । ଯାହାକି ପୂର୍ବ ବର୍ଷର ରେକର୍ଡ ତୁଳନାରେ କମ । ୨୦୧୮-୧୯ ବର୍ଷରେ ଆର୍ଥିକ ଅଭିବୃଦ୍ଧି ରହିଥିଲା ୬.୮ ପ୍ରତିଶତ । କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ତରଫରୁ ଏହି ସୂଚନା ଦିଆଯାଇଛି । ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି କମୁଥିବା କାରଣରୁ ଏହାର ପ୍ରଭାବ ଆର୍ଥିକ ଅଭିବୃଦ୍ଧି ଉପରେ ପଡିଥିବା କୁହାଯାଇଛି ।

ସବୁଠାରୁ ବଡ଼ କଥା ହେଲା, ୨୦୧୯-୨୦ରେ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ୨ ପ୍ରତିଶତ କମୁଥିବାରୁ ଆର୍ଥିକ ଅଭିବୃଦ୍ଧିକୁ ଏହା ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି । ସେହିପରି କୃଷି, ନିର୍ମାଣ, ବିଦ୍ୟୁତ, ଗ୍ୟାସ ଏବଂ ପାଣି ସପ୍ଲାଇ କ୍ଷେତ୍ରରେ ଅଭିବୃଦ୍ଧି କମୁଥିବାରୁ ଏହା ମଧ୍ୟ ଆର୍ଥିକ ଅଭିବୃଦ୍ଧି କମିବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।