ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଗୁଇନ୍ଦାଗିରି ଅଭିଯୋଗ । ଦିଲ୍ଲୀ ସ୍ଥିତ ବାସଭବନ ଆଗରୁ ଧରା ପଡିଲେ ୪ ସନ୍ଦିଗ୍ଧ । ଅଭିଯୁକ୍ତଙ୍କ ପାଖରୁ ମିଳିଲା ଗୁଇନ୍ଦା ବିଭାଗର ଆଇକାର୍ଡ

33

କନକ ବ୍ୟୁରୋ:ସିବିଆଇରେ ଅନ୍ତଃକନ୍ଦଳ ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ସରକାର ଛୁଟିରେ ପଠାଇ ଦେଇଥିବା ବେଳେ ଆଜି ତାଙ୍କ ଘର ଆଗରୁ ଧରା ପଡିଛନ୍ତି ୪ ଜଣ ସନ୍ଦିଗ୍ଧ । ଆଲୋକ ବର୍ମାଙ୍କ ଦିଲ୍ଲୀ ସ୍ଥିତ ବାସଭବନ ଆଗରେ ଆଜି ସକାଳୁ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଲା । ସେମାନଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ଆଲୋକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ୪ ଜଣଙ୍କୁ ଧରି ଭିତରକୁ ନେଇ ପଚରା ଉଚରା କରିଥିିଲେ । ପରେ ପୋଲିସ ପହଁଚି ୪ ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଛି । ସେମାନଙ୍କୁ ପଚରା ଉଚରା ଜାରି ରହିଛି ।

ଅଟକ ଅଭିଯୁକ୍ତ ମାନଙ୍କ ପାଖରୁ ଗୁଇନ୍ଦା ବିଭାଗର ଆଇ କାର୍ଡ ମିଳିଥିବା ଜଣାପଡିଛି । ଏହି ୪ ଜଣଙ୍କ ସଂପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଗତକାଲି ରାତିରେ ଏହି ସନ୍ଦିଗ୍ଧ ବ୍ୟକ୍ତିମାନେ ବର୍ମାଙ୍କ ବାସଭବନ ବାହାରେ ପହଁଚିଥିଲେ ବୋଲି ଜଣାପଡିଛି । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଦୁଇ ସର୍ବୋଚ୍ଚ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଅସ୍ଥାନାଙ୍କୁ ଗତକାଲି ଛୁଟିରେ ପଠାଇ ଦେଇଥିଲେ । ସେପଟେ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ।

ସେପଟେ ସିବିଆଇ ମଧ୍ୟରେ ଦେଖା ଦେଇଥିବା ଅନ୍ତଃକନ୍ଦଳକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ବିଶେଷ କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଛୁଟିରେ ପଠାଇବା ପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଘଟଣାକୁ ପ୍ରସଙ୍ଗ କରି ମୋଦି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଜସ୍ଥାନର ଏକ ଜନସଭାରେ ରାହୁଲ କହିଛନ୍ତି, ବିବାଦୀୟ ରାଫେଲ ଚୁକ୍ତି ଉପରେ ପ୍ରଶ୍ନ ଉଠାଉଥିଲେ ସିବିଆଇ ନିର୍ଦ୍ଦେଶକ । ଏହା ସହ ଏହି ମାମଲାର ତଦନ୍ତ ମଧ୍ୟ କରିବାକୁ ଚାହୁଁଥିଲେ ଆଲୋକ ବର୍ମା । ତେଣୁ ଅନ୍ତଃକନ୍ଦଳ ବାହାନାରେ ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧି ।