ମାଗଣା ମିଳୁଛି ୫ ଶହରୁ ଅଧିକ ଔଷଧ, କିନ୍ତୁ ରୋଗୀ ଜାଣି ନାହାନ୍ତି ନିରାମୟ ଯୋଜନା କଣ ! କେମିତି ଚାଲିଛି ରାଜ୍ୟ ସରକାରଙ୍କ ଏହି ଯୋଜନା, ପଢନ୍ତୁ ପୂରା ରିପୋର୍ଟ

196

କନକ ବ୍ୟୁରୋ : ରୋଗୀଙ୍କୁ ବିନା ମୂଲ୍ୟରେ ଓøଷଧ ଦେବାକୁ ୩ ବର୍ଷ ତଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ ନିରାମୟ ଯୋଜନା । ଏହି ଯୋଜନାରେ, ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଶହରୁ ଅଧିକ ପ୍ରକାରର ଔଷଧ ମିଳୁଛି । ହେଲେ ଏବେ କେମିତି ରହିଛି ନିରାମୟର ସ୍ଥିତି । କେମିତି କାମ କରୁଛି ସରକାରଙ୍କ ଏହି ଯୋଜନା । ରାଜ୍ୟରେ ନିରାମୟର ସ୍ଥିତି ନେଇ କନକ ନ୍ୟୁଜ୍ ଏବଂ ଅକ୍ସଫାମର ମିଳିତ ଅଭିଯାନ–ମୋ ଅଧିକାର ମୋତେ ମିଳୁ । ଏହି ଅଭିଯାନରେ ଆମେ ଆପଣଙ୍କୁ ଜଣାଇବୁ ରାଜ୍ୟରେ କେମିତି ଚାଲିଛି ନବୀନ ସରକାରଙ୍କ ଏହି ଲୋକପ୍ରିୟ ଯୋଜନା ।

ରାଜ୍ୟ ସରକାରଙ୍କ ନିରାମୟ ଯୋଜନାକୁ ୩ ବର୍ଷ ବିତିବାକୁ ବସିଲାଣି । ହେଲେ ରୋଗୀ ଜାଣିନାହାଁନ୍ତି ନିରାମୟ କଣ । କଣ ଏହି ସରକାରଙ୍କ ଯୋଜନା? ନାହିଁ ନାହିଁରେ ଚାଲିଛି ନିରାମୟ ଯୋଜନା । ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ବାଙ୍ଗୁରୀ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ୨ ବର୍ଷ ହେଲାଣି ଏଠାରେ ସରକାରଙ୍କ ନିରାମୟ ଯୋଜନା ଆରମ୍ଭ ହେଲାଣି । ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇଦିଆଯାଉଛି । ହେଲେ ଅନେକ ରୋଗୀ ଏବେବି ନିରାମୟର ନାଁ ଶୁଣିନାହାଁନ୍ତି ।

ଏପରିକି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କେନ୍ଦ୍ରରେ ଔଷଧ ବଦଳରେ ଖାଲି ପଡିଛି ଅଧିକାଂଶ ସ୍ଥାନ । ଅନେକ ରୋଗ ପାଇଁ ଏଠାରେ ଔଷଧ ନାହିଁ । ଆଉ ଯେତିକି ଅଛି, ତାହା ସମୁଦ୍ରକୁ ଶଙ୍ଖେ । ରୋଗୀ ଅଭିଯୋଗ କରିଛନ୍ତି, ଡାକ୍ତର ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ମିଳୁନି । ଫଳରେ ବାହାର ଔଷଧ ଦୋକାନରୁ ଆଣିବାକୁ ପଡୁଛି । ଆଉ ଯେଉଁ ଔଷଧ ମିଳୁଛି ସେଥିରେ ରୋଗ ଭଲ ହେଉନାହିଁ ।ନିରାମୟ ଯୋଜନାକୁ ଲୋକାଭିମୁଖୀ କରିବାକୁ ରାଜ୍ୟ ସରକାର ଚଳିତ ବଜେଟରେ ୩ଶହ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି । ହେଲେ ସରକାରଙ୍କ ଏହି ଯୋଜନା ଏବେବି ଲୋକଙ୍କ ପାଖରେ ଅପହଂଚ ।