ଶାନ୍ତିରେ ସରିଲା ଭାରତ ବନ୍ଦ । ଦେଶର ବିଭିନ୍ନ ସ୍ଥାନରେ ଗାଡି ଓ ଟ୍ରେନ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀ ପ୍ରଭାବିତ, ବାଧାପ୍ରାପ୍ତ ହେଲା ବ୍ୟାଙ୍କିଂ ସେବା ।

118

କନକ ବ୍ୟୁରୋ : ସରକାରଙ୍କ ଜନ ବିରୋଧୀ ଓ ଶ୍ରମିକ ମାରଣ ନୀତି ବିରୋଧରେ ଆଜି ଭାରତ ବନ୍ଦ ପାଳନ କରାଯାଇଛି । ୧୦ କେନ୍ଦ୍ରୀୟ ଟ୍ରେଡ ୟୁନିଅନର ଏହି ବନ୍ଦ ପାଳନକୁ ବିଭିନ୍ନ ସଂସ୍ଥା ଓ ରାଜନୈତିକ ଦଳ ସମର୍ଥନ ଦେଇଥିଲେ । ଦେଶର ବିଭିନ୍ନ ସ୍ଥାନରେ ଗାଡି ଚଳାଚଳ ପ୍ରଭାବିତ ହୋଇଥିଲା । ରେଳ ରୋକ ଯୋଗୁଁ ବହୁ ଟ୍ରେନ ବାତିଲ ହୋଇଥିଲା । ସେହିପରି ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ବ୍ୟାଙ୍କିଂ ସେବା ମଧ୍ୟ ପ୍ରଭାବିତ ହୋଇଥିଲା ।

୧୨ ଘଣ୍ଟିଆ ଭାରତ ବନ୍ଦ । ଦୋକାନ ବଜାର ବନ୍ଦ, ଗାଡି ଚଳାଚଳ ଠପ୍ । ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରାର ପ୍ରଭାବ ସକାଳୁ ସକାଳୁ ରାସ୍ତା ଉପରେ ଦେଖିବାକୁ ମିଳିଥିଲା । କେଉଁଠି ଚକାଜାମ କରାଯାଉଥିଲା ତ ପୁଣି କେଉଁଠି ରେଳ ରୋକ ପୁଣି କେଉଁଠି ଗାଡି ଭଙ୍ଗାରୁଜା । ବାଙ୍ଗାଲୋରରୁ ମୁମ୍ବାଇ ଓ କେରଳରୁ ଆସାମ ଯାଏଁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ହାଇଦ୍ରାବାଦ, ଭୁବନେଶ୍ୱର, ଚେନ୍ନାଇ ଓ ତ୍ରିଭେନ୍ଦ୍ରମରେ ବନ୍ଦ ପାଳନର ପ୍ରଭାବ ପଡିଛି । ସେହିପରି କୋଲକାତା, ସିଲିଗୁଡି, ୨୪ ପ୍ରଗଣା, ବିଜୟବାଡାରେ ମଧ୍ୟ ପଡିଥିଲା ବନ୍ଦର ପ୍ରଭାବ । ଏହାଛଡା କଲବୁର୍ଗ, ରାୟପୁର, ଦିଲ୍ଲୀ ଓ ପଂଞ୍ଜାବରେ ମଧ୍ୟ ଦେଖିବାକୁ ମିଳିଛି ବନ୍ଦ ପାଳନର ପ୍ରଭାବ । ପାଟନା, ଗୌହାଟି, ଲୁଧିଆନା ଓ ବାଙ୍ଗାଲୋରରୁ ମଧ୍ୟ ଆସିଛି ସମାନ ଦୃଶ୍ୟ ।

ବନ୍ଦ ପାଳନ ଯୋଗୁଁ ବହୁ ବ୍ୟାଙ୍କ ବନ୍ଦ ଥିବାରୁ ଟଙ୍କା ଜମା ଓ ଉଠାଣ ସମସ୍ୟାରେ ଛନ୍ଦି ହୋଇଛନ୍ତି ସାଧାରଣ ଜନତା । ସରକାରଙ୍କ ଶ୍ରମିକ ଓ ଜନ ବିରୋଧୀ ନୀତି ବିରୋଧରେ ବନ୍ଦ ପାଳନକୁ ୬ଟି ବ୍ୟାଙ୍କିକ ସଂଗଠନ ସମର୍ଥନ କରିଥିବାରୁ ଏକ ପ୍ରକାର ଅଚଳ ହୋଇପଡିଛି ବ୍ୟାଙ୍କିଂ ସେବା । ତେବେ ଘରୋଇ ବ୍ୟାଙ୍କ ଉପରେ ବନ୍ଦର କୌଣସି ପ୍ରଭାବ ପଡିନାହିଁ । ଅନ୍ୟପଟେ ବନ୍ଦ ସମର୍ଥନରେ ଟ୍ୱିଟ କରି ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ ଗାନ୍ଧୀ ।

ଭାରତ ବନ୍ଦ ପାଳନରେ ୨୫ ଲକ୍ଷ ଲୋକ ସାମିଲ ହୋଇଥିବା ଦାବି କରିଛନ୍ତି ୧୦ କେନ୍ଦ୍ରୀୟ ଟ୍ରେଡ ୟୁନିଅନ । ବନ୍ଦ ପାଳନ ସମୟରେ ପଶ୍ଚିମବଙ୍ଗରେ ଛୋଟକାଟିଆ ହିଂସାକାଣ୍ଡ ଦେଖିବାକୁ ମିଳିଛି । ବର୍ଦ୍ଧୱାନରେ ବାମଦଳ ସମର୍ଥକ ଓ ଟିଏମସି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସେହିପରି ୨୪ ପ୍ରଗଣା ଅନ୍ତର୍ଗତ ହ୍ରିଦୟପୁର ରେଳଷ୍ଟେସନ ନିକଟ ଧାରଣାରୁ ବୋମା ଜବତ କରିଛି ପୁଲିସ । ସିଲିଗୁଡିରେ ଜଣେ ଡ୍ରାଇଭର ପଥର ମାଡ ଭୟରେ ହେଲମେଟ ପିନ୍ଧି ବସ ଚଳାଉଥିବା ରୋଚକ ଦୃଶ୍ୟ ବି ଦେଖିବାକୁ ମିଳିଛି ।