ମାତ୍ର ୪୩୩୭ଟି ଭୋଟର ବ୍ୟବଧାନ, ନହେଲେ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ଶିବରାଜ

214

କନକ ବ୍ୟୁରୋ : ମଧ୍ୟ ପ୍ରଦେଶ ନିର୍ବାଚନରେ ବହୁମତ ପାଇଁ ଆବଶ୍ୟକ ଥିଲା ୧୧୬ ଆସନ । କିନ୍ତୁ ବିଜେପି ୧୦୯ରେ ସୀମିତ ରହିଥିଲା । ଆଉ ମାତ୍ର ୭ଟି ଆସନ ମିଳିଯାଇଥିଲେ, ଶିବରାଜ ସିଂହ ଚୌହାନ୍ ରାଜ୍ୟରେ ଲଗାତର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ନୂଆ ରେକର୍ଡ ସ୍ଥାପନ କରିଥାନ୍ତେ । କିନ୍ତୁ କଂଗ୍ରେସ ସେଥିରେ ବ୍ରେକ୍ କଷିବାରେ ସମର୍ଥ ହୋଇଛି । ଶିବରାଜଙ୍କ ଚତୁର୍ଥ ଇନିଂସ ଆଶା ଧୂଳିସାତ୍ କରିଦେଇଛି । ନିର୍ବାଚନ କମିସନ୍ ସୂତ୍ରରୁ ମିଳିଥିବା ଖବର ମୁତାବକ ଆଉ ମାତ୍ର ୪୩୩୭ଟି ଭୋଟ୍ ମିଳିଥିଲେ, ବିଜେପି ଆବଶ୍ୟକ କରୁଥିବା  ୭ଟି ଆସନରେ ବିଜୟୀ ହୋଇଥାନ୍ତା । ଏହାଦ୍ବାରା ଦଳକୁ ୧୧୬ ଅଙ୍କ ମିଳିପାରିଥାନ୍ତା । ଫଳରେ ଶିବରାଜ ସିଂହ ଚୌହାନ୍ ପୁଣି ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ ।

କିନ୍ତୁ ଦଳ ୪୩୩୭ ଭୋଟରୁ ପଛରେ ରହିଯିବା କାରଣରୁ ତାଙ୍କର ଏହି ସ୍ବପ୍ନ ମଉଳି ଯାଇଛି । ବିଜେପି ପ୍ରାର୍ଥୀମାନେ ଯେଉଁ ୭ଟି ଆସନରେ ହାରିଛନ୍ତି, ସେଠାରେ ହାରିବା ବ୍ୟବଧାନ ୧,୦୦୦ ଭୋଟ୍ଠାରୁ ବି କମ୍ ରହିଛି । କମିସନ୍ ରିପୋର୍ଟ ମୁତାବକ ମଧ୍ୟ ପ୍ରଦେଶରେ ୧୦ଟି ଆସନ ଏଭଳି ଥିଲା, ଯେଉଁଠାରେ ବିଜୟର ବ୍ୟବଧାନ ହଜାରେ ଭୋଟ୍ରୁ କମ୍ ରହିଥିଲା । ଏହି ଆସନଗୁଡ଼ିକ ମଧ୍ୟରୁ କଂଗ୍ରେସ ହାତରେ ୭ଟି ପଡ଼ିଥିବା ବେଳେ ବିଜେପି ୩ଟି ପାଇଥିଲା । ଏହା ହିଁ ଶିବରାଜ ସିଂହ ଚୌହାନ୍ ସରକାରଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ମଧ୍ୟ ପ୍ରଦେଶରେ ୧୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ସିଂହ ଚୌହାନ୍ ଆଜି ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଛନ୍ତି । ନିର୍ବାଚନରେ ବିଜେପି ହାରିବା ଯୋଗୁ ତାଙ୍କୁ ଶକ୍ତ ଆଘାତ ଲାଗିଛି । ଏଭଳି ସମୟରେ ତାଙ୍କୁ ଜଣେ ସାମ୍ବାଦିକ କେନ୍ଦ୍ର ରାଜନୀତିରେ ସାମିଲ ହେବେ କି ବୋଲି ପ୍ରଶ୍ନ କରିବାରୁ ସେ ଆବେଗାତ୍ମକ ଢଙ୍ଗରେ ନକାରାତ୍ମକ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ କେନ୍ଦ୍ରକୁ ଆଦୌ ଯିବିନାହିଁ । ମଧ୍ୟ ପ୍ରଦେଶରେ ବଞ୍ଚିବି ଏବଂ ମଧ୍ୟ ପ୍ରଦେଶରେ ହିଁ ମରିବି ।

ମଧ୍ୟ ପ୍ରଦେଶରେ ବିଜେପି ପରାଜିତ ହୋଇଥିବା ବେଳେ ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ କିନ୍ତୁ ଦଳ ହାର୍ ମାନିବ ନାହିଁ । ଏଥିପାଇଁ ଠୋସ୍ ରଣନୀତି ପ୍ରସ୍ତୁତ କରିବ । ତେବେ ଶିବରାଜ ସିଂହ ଚୌହାନ୍ ନିଜ ରାଜ୍ୟରେ ଲୋକସଭା ନିର୍ବାଚନ ପାଇଁ ନେତୃତ୍ବ ନେଇପାରନ୍ତି ଏବଂ ସେ ମଧ୍ୟ ଏହି ନିର୍ବାଚନ ଲଢ଼ିପାରନ୍ତି ବୋଲି ଆଲୋଚନା ହେଉଛି।  ରାଜ୍ୟର ୩ ଥର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ପାଞ୍ଚ ଥର ଲୋକସଭା ସାଂସଦ ରହିଥିଲେ ।