ସ୍ୱାଧୀନତା ଦିବସରେ ମିଳିଥିଲା ସଚ୍ଚୋଟ କନେଷ୍ଟବଳ ପୁରସ୍କାର ! ମାତ୍ର ୨୪ ଘଣ୍ଟା ଭିତରେ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ପୋଲିସ୍ ବାବୁ ।

245

ମଣିଷ ଯେତେବେଳେ ଲୋଭର ବଶବର୍ତ୍ତୀ ହୁଏ ବାସ୍ତବିକତା ଏବଂ ମାନବତାରୁ ତାର ସବୁ ସଂବନ୍ଧ କଟିଯାଏ । ଲୋଭୀ ମଣିଷର ଧର୍ମ କେବଳ ଲୋଭ ହିଁ ହୋଇଥାଏ । ଏବେ ତେଲେଙ୍ଗାନାର ଏହି କନେଷ୍ଟବଳ ବାବୁଙ୍କୁ ହିଁ ଦେଖିନିଅନ୍ତୁ । ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ତାଙ୍କୁ ବେଷ୍ଟ୍ କନେଷ୍ଟବଳର ପୁରସ୍କାର ମିଳିଥିଲା । କିନ୍ତୁ ଏହାର ୨୪ ଘଣ୍ଟା ଭିତରେ ହିଁ ସେ ୧୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ । କ୍ଷଣକ ତଳେ ମିଳିଥିବା ସମ୍ମାନ ତତକ୍ଷଣାତ୍ ଅସମ୍ମାନ ପାଲଟିଗଲା ।

ଏହି କନେଷ୍ଟବଳଙ୍କ ନାଁ ହେଉଛି ତିରୁପତୀ ରେଡ୍ଡୀ । ତେଲେଙ୍ଗାନା ପୋଲିସ୍ ଅଧିନରେ ଥିବା ମେହବୁବନଗର ଜିଲ୍ଲାରେ ଡ୍ୟୁଟି କରୁଥିବା କନେଷ୍ଟବଳ ତିରୁପତୀ ରେଡ୍ଡୀଙ୍କୁ ତାଙ୍କର ଭଲ କାମ ପାଇଁ ସରକାରଙ୍କ ତରଫରୁ ପୁରସ୍କାର ଦିଆଯାଇଥିଲା । ସ୍ୱାଧୀନତା ଦିବସରେ ତାଙ୍କୁ ଅବକାରୀ ମନ୍ତ୍ରୀ ବି.ଶ୍ରୀନିବାସ ପୁରସ୍କାର ଦେଇ ସମ୍ମାନିତ କରିଥିଲେ । ଲୋକଙ୍କ କରତାଳି ଏବଂ ବାଃ ବାଃ ରେ କନେଷ୍ଟବଳ ତିରୁପତୀ ରେଡ୍ଡୀ ସମ୍ମାନିତ ହୋଇଥିଲେ । କିନ୍ତୁ ଏହାର ୨୪ ଘଣ୍ଟା ପରେ ହିଁ ତାଙ୍କର ସବୁ ସମ୍ମାନ ମଳିନ ପଡିଗଲା । ଲାଞ୍ଚ ନେଲା ବେଳେ ବାବୁ ଧରାପଡିଗଲେ । ଜିଲ୍ଲାର ଆଣ୍ଟି କରପ୍ସନ୍ ବ୍ୟୁରୋ ତାଙ୍କୁ ୧୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲେ । ଯେଉଁ ବ୍ୟକ୍ତିଜଣକ ଏହି ଲାଞ୍ଚଖୋର୍ ପୋଲିସ୍ ବାବୁଙ୍କୁ ଧରାପକାଇଥିଲେ ସେ କୌଣସି ମାମଲାକୁ ନେଇ କେସ୍ କରିବାକୁ ଚାହୁଁଥିଲେ । କିନ୍ତୁ କନେଷ୍ଟବଳ ଜଣକ କେସ୍ କରିବାକୁ ରାଜି ହେଉନଥିଲେ । କନେଷ୍ଟବଳ ଜଣକ ବ୍ୟକ୍ତିଜଣଙ୍କୁ ଟଙ୍କା ମାଗୁଥିଲେ । ଏଥିରେ ଅତିଷ୍ଟ ହୋଇ ବ୍ୟକ୍ତିଜଣଙ୍କ ଏସିବି (ଆଣ୍ଟି କରପ୍ସନ୍ ବ୍ୟୁରୋ) ଙ୍କୁ ଅଭିଯୋଗ କରିଥିଲେ । ଏହାପରେ ପୋଲିସ୍ ବାବୁଙ୍କର କାରନାମା ସାମ୍ନାକୁ ଆସିଥିଲା ।