ରାଜ୍ୟ ସରକାରଙ୍କୁ କଂଗ୍ରେସ କୃଷକ ସେଲର ଚେତାବନୀ, ୭ ଦିନ ମଧ୍ୟରେ ଚାଷୀଙ୍କୁ ଖରିଫ ଋଣ ନ ମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।

56

ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଚାଷୀର ବିକାଶ ପାଇଁ ଯେତେ ଗୁଡିଏ ଯୋଜନା ଘୋଷଣା କରୁଛନ୍ତି ସବୁ ଫେଲ୍ ମାରିଛି ବୋଲି ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ କୃଷକ ସେଲ୍ । ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୨୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ଇନପୁଟ ସବସିଡି ଦେବାପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଚାଷୀଙ୍କୁ ମିଳିଲା ନାହିଁ । ଏହା ବ୍ୟତୀତ ଚଳିତ ଖରିଫରେ ଚାଷୀମାନଙ୍କୁ ରାଜ୍ୟ ସରକାର ୭ହଜାର କୋଟି ଟଙ୍କାର କୃଷି ଋଣ ସମବାୟ ବ୍ୟାଙ୍କ ଗୁଡିକ ଜରିଆରେ ପ୍ରଦାନ କରିବାକୁ ଧାର୍ଯ୍ୟ କରାଯାଇଥିବାବେଳେ ଜୁନ ୨୫ ତାରିଖ ସୁଦ୍ଧା ମୋଟ ଖରିଫ ଋଣ ଟଙ୍କାର ୨ ପ୍ରତିଶତ ଟଙ୍କା ଚାଷୀଙ୍କୁ ଦିଆଯାଇ ନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ କୃଷକ ସେଲ୍ । ଏପରିକି ରାଜ୍ୟ ସରକାରଙ୍କ କୃଷି, ରାଜସ୍ୱ ଓ ପରିସଂଖ୍ୟାନ ବିଭାଗର ତାଳ ମେଳ ନଥିବାରୁ ଗତବର୍ଷ ୧୦ଲକ୍ଷରୁ ଉଦ୍ଧ୍ୱର୍ ଚାଷୀ ବୀମା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି ।

ଗତବର୍ଷ ଖରିଫରେ ରାଜ୍ୟର ୧୮ଲକ୍ଷ ୪୨ ହଜାର ଚାଷୀ ବୀମାଭୁକ୍ତ ହୋଇ ପ୍ରିମିୟମ ବାବଦକୁ ମୋଟ ୮୩୯.୬୮ କୋଟି ଟଙ୍କା ବୀମା କମ୍ପାନୀ ଠାରେ ଆଗୁଆ ଜମା କରିଥିଲେ । ତେବେ ଗତବର୍ଷ ଚକଡା ପୋକ, ଅଦିନିଆ ବର୍ଷା ଓ ମରୁଡି ଯୋଗୁଁ ରାଜ୍ୟର ୧୫ଲକ୍ଷ ହେକ୍ଟର ଜମିରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଅନୁଯାୟୀ ବୀମାଭୁକ୍ତ ଚାଷୀ ପ୍ରାୟ ୨ ହଜାର କୋଟି ଟଙ୍କା ବୀମା କ୍ଷତିପୂରଣ ସହାୟତା ପାଇବା କଥା । କିନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଜୁନ ୨୫ ଶେଷ ସୁଦ୍ଧା ମାତ୍ର ୨୮୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଅଭିଯୋଗ କରିଛି କଂଗ୍ରେସ କୃଷକ ସେଲ୍ ।

ତେଣୁ ଆସନ୍ତା ୭ ଦିନ ମଧ୍ୟରେ ଆବଶ୍ୟକ କୃଷି ଋଣ, ଫସଲ ବୀମା, ଗତବର୍ଷର ଫସଲ ବୀମା ସହାୟତା, କୃଷି ଇନପୁଟ ସବସିଡି, ଓ ଆବଶ୍ୟକ ପରିମାଣର ବିହନ ଚାଷୀଙ୍କୁ ଯୋଗାଇ ଦିଆନଗଲେ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବାକୁ କଂଗ୍ରେସ କୃଷକ ସେଲ ପକ୍ଷରୁ ଚେତାବନୀ ଦିଆଯାଇଛି ।