କ୍ଷମତାକୁ ଆସିଲେ ଦେବୁ ବେକାରୀ ଭତ୍ତା ! ୨୦୧୯ ପାଇଁ ରାହୁଲ ଗାନ୍ଧିଙ୍କ ଗେମ୍ ଚେଞ୍ଜର ସ୍କିମ୍ ।

323

କନକ ବ୍ୟୁରୋ : ଚାଷୀଙ୍କ ଋଣ ଛାଡ କରିବାର ପ୍ରତିଶ୍ରୁତି ଦେଇ ଛତିଶଗଡରେ କ୍ଷମତାକୁ ଫେରିଥିବା କଂଗ୍ରେସ, କୃଷକଙ୍କୁ ବାନ୍ଧି ରଖିବା ପାଇଁ କରୁଛି ରଣନୀତି । ଦୀର୍ଘ ୧୫ ବର୍ଷ ପରେ ସରକାର ତିଆରି ହେବା ପରେ ଆଜି ପ୍ରଥମ ଥର ପାଇଁ ଛତିଶଗଡ ଗସ୍ତରେ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ରାଜଧାନୀ ରାୟପୁରର ଅଟଳ ନଗରରେ ଆୟୋଜିତ ହୋଇଥିବା କୃଷକ ଅଧିକାର ରାଲିରେ ଯୋଗ ଦେଇ କୃଷକମାନଙ୍କୁ ସମ୍ବୋଧିତ କରିବା ସହ ୨୦୧୯ ନିର୍ବାଚନ ପାଇଁ ପ୍ରତିଶ୍ରୁତିର ପାହାଡ ଛିଡା କରିଛନ୍ତି ରାହୁଲ ।

ଛତିଶଗଡରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଇଛନ୍ତି ବଡ ବୟାନ । ସେ କହିଛନ୍ତି, ଦେଶରେ କଂଗ୍ରେସ କ୍ଷମତାକୁ ଆସିଲେ, ଗରିବ ମାନଙ୍କ ପାଇଁ ଦଳ ଏପରି କାମ କରିବ, ଯାହା ଆଗରୁ ପୁରା ଦୁନିଆରେ କୌଣସି ସରକାର କରିନାହାନ୍ତି । ରାହୁଲ କହିଛନ୍ତି, ଦଳ ସର୍ବନିମ୍ନ ଆୟ ନିଶ୍ଚିତ କରିବ । ସମସ୍ତ ଗରିବଙ୍କୁ ସର୍ବନିମ୍ନ ଆୟ ଯୋଗାଇ ଦେବାକୁ ଆଜି ଛତିଶଗଡରେ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହା ସହ ସେ କହିଛନ୍ତି, ଦାରିଦ୍ର‌୍ୟ, ଅନାହାର ଦୂର କରିବାକୁ ପଦକ୍ଷେପ ନେବ କଂଗ୍ରେସ । ଦାରିଦ୍ର‌୍ୟତା ଥିଲେ ନୂଆ ଭାରତର ସ୍ୱପ୍ନ ସମ୍ଭବ ହେବ ନାହିଁ ବୋଲି ରାହୁଲ କହିଛନ୍ତି ।

ତେବେ ୨୦୧୯ ନିର୍ବାଚନ ପୂର୍ବରୁ ଛତିଶଗଡରେ ରାହୁଲ ନିର୍ବାଚନୀ ଶଙ୍ଖ ଫୁଙ୍କିଥିବା ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି । କୃଷକଙ୍କୁ ଆଧାର କରି, ବିଶେଷ ଭାବେ ଚାଷୀ ଋଣ ଛାଡ କରିବାର ପ୍ରତିଶ୍ରୁତି ଦେଇ ତିନୋଟି ବଡ ରାଜ୍ୟରେ କଂଗ୍ରେସ ନିର୍ବାଚନୀ ବୈତରଣୀ ପାର ହୋଇଥିବା ବେଳେ ଏବେ ଗରିବଙ୍କ ପାଇଁ ଏହି ବଡ ନିଷ୍ପତ୍ତି କଂଗ୍ରେସ ପାଇଁ କେତେ ଫାଇଦା ଆଣିଦେବ ତାହା ସମୟ ହିଁ କହିବ । ତେବେ ଛତିଶଗଡରେ ସରକାର ହେବାର କିଛି ଦିନ ଭିତରେ ହିଁ ଚାଷୀଙ୍କ ଋଣ ଛାଡ କରିଥିଲା କଂଗ୍ରେସ । ଏବେ ରାହୁଲଙ୍କ ଏହି ବଡ ନିଷ୍ପତ୍ତି ଜାତୀୟ ରାଜନୀତିରେ କେତେ ଦୂର ପ୍ରଭାବ ପକାଇବ, ତାକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ ।