ପିଏନବି ମହାଦୁର୍ନୀତିର ଖୋଳତାଡ ଜାରି ! ମୁମ୍ବାଇର ବ୍ରେଡି ହାଉସ୍ ଶାଖା ସିଲ୍ କଲା ସିବିଆଇ, ଏପଟେ ଓଡିଶାରେ ରାମଦାସପୁର ପ୍ରକଳ୍ପ ନେଇ ସନ୍ଦେହ

29

କନକ ବ୍ୟୁରୋ: ବ୍ରେଡି ହାଉସ ସିଲ୍ କଲା ସିବିଆଇ । ପିଏନବି ସ୍କାମର ଖୋଳତାଡ ଚାଲିଥିବା ବେଳେ ମୁମ୍ବାଇରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବ୍ରେଡି ହାଉସ ଶାଖାକୁ ସିବିଆଇ ସିଲ୍ କରିଛି । ଏହି ବ୍ରେଡି ହାଉସରୁ ହିଁ ଆରମ୍ଭ ହୋଇଥିଲା ମହାଦୁର୍ନୀତି । ଗତକାଲିଠାରୁ ବ୍ରେଡି ହାଉସକୁ କବ୍ଚାକୁ ନେଇ ଛାନଭିନ୍ ଚଳାଇଥିଲା ସିବିଆଇ ଟିମ୍ । ଏହି ବଡ ଦୁର୍ନୀତିର ଖୋଳତାଡ ବେଳେ ଯେଉଁ ତଥ୍ୟ ସାମନାକୁ ଆସୁଛି, ତାହା ତଦନ୍ତକାରୀ ସଂସ୍ଥାଗୁଡିକର ହୋସ ଉଡାଇ ଦେଇଛି ।

ଇଡି ଓ ଆୟକର ବିଭାଗଙ୍କ ସ୍କାନରରେ ରହିଛି ୨୦୦ ଜାଲ୍ କଂପାନୀ ଓ ବେନାମୀ ସଂପତି । କେବଳ କାଗଜ କଳମରେ କଂପାନୀ ଗଢାଯାଇଛି, କୌଣସି ଅଫିସ ନାହିଁ, କେହି କର୍ମଚାରୀ ନାହାନ୍ତି । ହେଲେ କଂପାନୀ ନାଁରେ ରହିଛି କୋଟି କୋଟି ଟଙ୍କାର ବେନାମୀ ଜମି, ସୁନା, ହୀରାଠାରୁ ଆରମ୍ଭ କରି ମୂଲ୍ୟବାନ ପଥର । ୧୧ ହଜାର ୪୦୦ କୋଟି ଟଙ୍କାର ପିଏନବି ସ୍କାମ୍ର ତଦନ୍ତ ବେଳେ ନିରବ ମୋଦି ଓ ତାଙ୍କ ପାର୍ଟନର ମେହୁଲ ଚୋକସୀର ଜାଲ୍ କଂପାନୀର ଚିଠା ଖୋଲୁଛି ତଦନ୍ତକାରୀ ସଂସ୍ଥା । ଏହି ସବୁ ଜାଲ୍ କଂପାନୀ ସହ ପିଏନବି ସ୍କାମର ସଂପର୍କ ରହିଥିବା କୁହାଯାଉଛି । ସେପଟେ ଫେରାର ଥିବା ସ୍କାମ ମାଷ୍ଟର ନିରବ ମୋଦିଙ୍କୁ ଖୋଜୁଛି ସିବିଆଇ । ଏବେ ନିରବଙ୍କୁ ଧରିବା ପାଇଁ ସିବିଆଇ ଇଂଟରପୋଲର ସହାୟତା ଲୋଡିଛି । ବିଶ୍ୱର ସମସ୍ତ ଏୟାରପୋର୍ଟକୁ ନୋଟିସ ଜାରି କରାଯାଇଛି ।

ତେବେ ଗିରଫ ଭୟରେ ଭଣଜା ନିରବ ମୋଦିଙ୍କ ସହ ବିଦେଶ ପଳାଇଥିବା ଗୀତାଞ୍ଜଳି ଜେମସର ମାଲିକ ମେହୁଲ୍ ଚୋକସିଙ୍କ ସହ ଓଡ଼ିଶା ସରକାରଙ୍କ ବ୍ୟାବସାୟିକ ସଂପର୍କ ନେଇ ଏବେ ଉଠିଛି ପ୍ରଶ୍ନ । ଓଡ଼ିଶା ସରକାର କଟକ ବାରଙ୍ଗ ନିକଟସ୍ଥ ରାମଦାସପୁରଠାରେ ଚୋକ୍ସିଙ୍କ ଗୀତାଂଜଳି ଜେମସକୁ ୧୦୦ ଏକର ଜାଗା ଦେବାକୁ ସ୍ଥିର କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ବର୍ଷ ତଳେ ଏଥିପାଇଁ ଶିଳାନ୍ୟାସ କରିଥିଲେ । ପରିବର୍ତିତ ପରିସ୍ଥିତିରେ ୬୭୫ କୋଟି ଟଙ୍କାର ଏହି ଜେମସ ଓ ଜ୍ୱେଲରୀ ପାର୍କ ପ୍ରତିଷ୍ଠା ନେଇ ଏବେ ସନ୍ଦେହ ଉଠିଛି । ଏଭଳି ଏକ ସଂସ୍ଥା ସହ ହାତ ମିଳାଇବା ପୂର୍ବରୁ ଓଡ଼ିଶା ସରକାର ସେ ସଂପର୍କରେ ସବିଶେଷ ତଥ୍ୟ ହାସଲ କରିଥିଲେ କି ନାହିଁ ଉଠିଛି ପ୍ରଶ୍ନ ।