ପୁଣି ସାମ୍ନାକୁ ଆସିଲା ଯୋଗୀ ସରକାରରେ ଅରାଜକତାର ସାଂଘାତିକ ଚିତ୍ର । ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ମା’ଙ୍କୁ ପିଟିପିଟି କଲେ ହତ୍ୟା ।

214

କନକ ବ୍ୟୁରୋ : ଉତ୍ତରପ୍ରଦେଶ ଜଜମାଉରେ ଅସଦାଚରଣ ପୀଡିତାଙ୍କ ମା ତଥା ପ୍ରତ୍ୟକ୍ଷଦର୍ଶୀକୁ ହତ୍ୟା ଘଟଣାରେ ଏନକାଉଂଟର କରି ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଜଜମାଉରେ ଗତବର୍ଷ ଜଣେ ୧୩ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । ଯାହାକୁ ପ୍ରତ୍ୟାହାର କରିବା ପାଇଁ ପୀଡିତାଙ୍କ ପରିବାର ଉପରେ ଅଭିଯୁକ୍ତ ମାନେ ଚାପ ପ୍ରୟୋଗ କରିଚାଲିଥିଲେ । କିନ୍ତୁ ଏଥିରୁ ଓହରି ନଥିଲେ ପୀଡିତାଙ୍କ ପରିବାର । ଫଳରେ ଗତ ୯ତାରିଖରେ ପୀଡିତାଙ୍କ ମା ଓ ମାଉସୀଙ୍କୁ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଏଥିରେ ସମ୍ପୃକ୍ତ ୬ଜଣଙ୍କୁ ଗିରଫ କରିଛି ପୁଲିସ ।

ଉତ୍ତରପ୍ରଦେଶରେ ଅସଦାଚରଣ ପୀଡିତାଙ୍କ ମା’ଙ୍କୁ ହତ୍ୟା । ପୀଡିତାଙ୍କ ପରିବାରକୁ ଅସଦାଚରଣ ଅଭିଯୁକ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ଏହି ଘଟଣାରେ ଶୁକ୍ରବାର ଦିନ ୨ ଅଭିଯୁକ୍ତ ପରବେଜ ଓ ଆବିଦକୁ ଏନକାଉଂଟର କରି ଗିରଫ କରିବା ସହ ମାମଲା ରୁଜୁ କରିଛି । ଏହାସହ ଗିରଫଙ୍କ ସଂଖ୍ୟା ୬ରେ ପହଂଚିଛି ।

ଡିଆଇଜି ଅନନ୍ତ ଦେଓଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ଦ୍ୱୟ ଅସଦାଚରଣ ମାମଲା ସହ ହତ୍ୟା ମାମାଲାରେ ସମ୍ପୃକ୍ତ । କାନପୁର ପୂର୍ବାଞ୍ଚଳ ଏସପିଙ୍କ ଅନୁଯାୟୀ ଜଜମାଉ ଅଂଚଳରେ ହୋଇଥିବା ଏନକାଉଂଟରରେ ୨ଅଭିଯୁକ୍ତ ଆହତ ହୋଇଛନ୍ତି । ଦୁଇ ଅଭିଯୁକ୍ତଙ୍କୁ ଗୁଳି ବାଜିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହାସହ ଜାନୁୟାରୀ ୯ତାରିଖ ଆକ୍ରମଣ ଘଟଣାରେ ମଧ୍ୟ ଏମାନଙ୍କ ନାଁରେ ମାମଲା ରୁଜୁ କରାଯାଇଛି ।

ଗତବର୍ଷ ୟୁପି ଜଜମାଉର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ୭ଜଣ ଅଭିଯୁକ୍ତ । ଘଟଣା ନେଇ ପୀଡିତାଙ୍କ ମାଆ ଚକେରୀ ପୁଲିସ ଷ୍ଟେସନରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ଏହାପରେ ମାମଲା ଫେରାଇ ନେବା ପାଇଁ ପୀଡିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରାଯାଇଥିଲା । ତେବେ ପରିବାର ପକ୍ଷରୁ ମାମଲାକୁ ଫେରାଇ ନେବା ପାଇଁ ମନା କରାଯିବାରୁ ଅଭିଯୁକ୍ତ ମାନେ ପୀଡିତାଙ୍କ ମାଆ ଓ ମାଉସୀଙ୍କ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ପୀଡିତାଙ୍କ ମାଁଙ୍କ ମୃତ୍ୟୁ ହୋଇଥିବା ବେଳେ ଜୀବନ ସହ ସଂଘର୍ଷ କରୁଛନ୍ତି ତାଙ୍କ ମାଉସୀ ।