ଥାଇଲ୍ୟାଣ୍ଡ ଯୁବତୀଙ୍କୁ ଓଡିଶା ଛାଡିବା ପାଇଁ ଡେଡଲାଇନ ଦେଲା ପୋଲିସ ! ଭୟଭୀତ ହୋଇ ନିର୍ଧାରିତ ସମୟ ପୂର୍ବରୁ ଫେରିଗଲେ ଯୁବତୀ ।

29

କନକ ବ୍ୟୁରୋ : ଦେଶରୁ ବିଦା ହେଲେ ବିଦେଶିନୀ । କମିଶନରେଟ୍ ପୋଲିସର ନାଲି ଆଖି ଆଗରେ ବାଧ୍ୟ ହୋଇ ପେଡି ପୁଟୁଳା ବାନ୍ଧି ଭାରତ ଛାଡ଼ିଛନ୍ତି ଥାଇଲାଣ୍ଡର ୮ ଯୁବତୀ । ଭୁବନେଶ୍ୱରର ଏକ ସ୍ପା ସେଣ୍ଟରରୁ ଉଦ୍ଧାର ହୋଇଥିବା ଏହି ଯୁବତୀଙ୍କ ନାଁରେ ଅଭିଯୋଗ ହୋଇଛି ଯେ, ଏମାନେ ଟୁରିଷ୍ଟ ଭିସାରେ ଆସି ଓଡ଼ିଶାରେ କାମ କରନ୍ତି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ଦେଶ ନଛାଡ଼ିଲେ କାର୍ଯ୍ୟାନୁଷ୍ଠାନର ଆଶଙ୍କା ଥିବାରୁ ଆଜି ସ୍ୱଦେଶ ଫେରିଯାଇଛନ୍ତି ବିଦେଶିନୀ ।

ଓଡିଶାକୁ ବିଦେଶ ସହ ଯୋଡିବା ପାଇଁ ଆରମ୍ଭ ହୋଇଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଆଜି ବିଦା ହୋଇଛନ୍ତି ବିଦେଶିନୀ । କମିଶନରେଟ ପୋଲିସ ଆଜି ତାର ଶକ୍ତି ଦେଖାଇ ଏହି ବିଦେଶୀ ଯୁବତୀଙ୍କୁ ଭାରତ ଛାଡିବା ପାଇଁ ସଂଧ୍ୟା ୮ଟା ପର୍ଯ୍ୟନ୍ତ ସମୟ ଦେଇଥିଲା । ଆଉ କୁହାଯାଇଥିଲା ନିର୍ଦ୍ଧାରିତ ସମୟ ପୂର୍ବରୁ ଭୁବନେଶ୍ୱର ନଛାଡିଲେ ପୋଲିସ ପଦକ୍ଷେପ ନେବ । ଆଉ ଏପଟେ ଭୁବନେଶ୍ୱରରେ ଯିଏ ଯେଉଁଠି ଥାଇଲାଣ୍ଡର ଯୁବତୀ ଥିଲେ ସେମାନେ ଭୟଭୀତ ହୋଇ ପେଡି ପୁଟୁଳା ବାନ୍ଧି ବିମାନବନ୍ଦର ଦୌଡିଥିଲେ ।

ଏବେ ଜାଣନ୍ତୁ କଣ ଅଭିଯୋଗ ଥିଲା ଏହି ବିଦେଶୀ ଯୁବତୀଙ୍କ ବିରୋଧରେ । ଥାଇଲାଣ୍ଡରୁ ଆସିଥିବା ଏହି ଯୁବତୀ ମାନେ ଭୁବନେଶ୍ୱରର ବିଭିନ୍ନ ମସାଜ ପାର୍ଲରରେ କାମ କରନ୍ତି । ଏବଂ ତାଙ୍କ ଦୋଷ ହେଉଛି ସେମାନେ ଟୁରିଷ୍ଟ ଭିସାରେ ଆସି ଏଠାରେ କିଛି ମାସ ରହି କାମ କରନ୍ତି । ଗତ ୧୯ ତାରିଖରେ ରାଜଧାନୀର ଏକ ମସାଜ ସେଂଟର ଉପରେ ରେଡ୍ କରି କମିଶନରେଟ ପୁଲିସ ଏମାନଙ୍କୁ ଅଟକ ରଖିଥିଲା । ଏମାନଙ୍କୁ ଗିରଫ କରାଯିବା ପରେ ଭୁବନେଶ୍ୱରର ସୁଧାର ଗୃହରେ ରଖାଯାଇଥିଲା । ଏବଂ ଆଜି ସୁଦ୍ଧା ଭାରତ ଛାଡିବା ପାଇଁ ଡେଡଲାଇନ ଦିଆଯାଇଥିଲା ।