ଥାଇଲାଣ୍ଡ ଆଡକୁ ଗତି କରୁଛି ଭୟଙ୍କର ସାମୁଦ୍ରିକ ଝଡ ‘ପାବୁକ’ ! ପ୍ରବଳ ବର୍ଷା ଓ ୨୨ ଫୁଟ ଉଚ୍ଚର ଜୁଆର ଉଠିବା ନେଇ ସତର୍କ ସୂଚନା

335

କନକ ବ୍ୟୁରୋ : ଆଣ୍ଡାମାନ ରାଜଧାନୀ ପୋର୍ଟ ବ୍ଲେୟାରରୁ ୧୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ଭୟଙ୍କର ସାମୁଦ୍ରିକ ଝଡ଼ ପାବୁକ୍ । ଦକ୍ଷିଣ ଚୀନ ସାଗରରେ ବାତ୍ୟାର ରୂପ ନେଉଛି ଏହି ସାମୁଦ୍ରିକ ଝଡ଼ । ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରିବା ସହ ଦକ୍ଷିଣ ଥାଇଲାଣ୍ଡ ଆଡକୁ ମୁହାଁଉଛି ପାବୁକ୍ । ଥାଇଲାଣ୍ଡରେ ପ୍ରବଳ ବର୍ଷା ଓ ୨୨ ଫୁଟ ଉଚ୍ଚର ଜୁଆର ଉଠିବା ନେଇ ସତର୍କ ସୂଚନା ପରେ ଥାଇଲାଣ୍ଡର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନଙ୍କୁ ସ୍ଥାନାନ୍ତର କରାଯାଉଛି ।

ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସକାଳୁ ଏହା ଥାଇଲାଣ୍ଡର ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଏହା ପରେ ଉତର-ପଶ୍ଚିମ ଦିଗରେ ଗତି କରି ୬ ତାରିଖ ରାତିରେ ଆଣ୍ଡାମାନ ଦୀପ ଅତିକ୍ରମ କରିବା ସମ୍ଭାବନା ରହିଛି । ଉତର-ପୂର୍ବ ଦିଗରେ ଗତି କରି ୭-୮ ତାରିଖ ମଧ୍ୟରେ ମ୍ୟାନ୍ମାର ଉପକୂଳ ମୁହାଁ ହେବ ପାବୁକ । ତେବେ ଓଡ଼ିଶା ପ୍ରତି କିଛି ସତର୍କ ସୂଚନା ନାହିଁ ବୋଲି ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଂଜାମ ଓ ଖୋର୍ଦ୍ଧା ଆଦି ୬ଟି ଜିଲାକୁ ପାବୁକ ସାମୁଦ୍ରିକ ଝଡ଼ ନେଇ ଅବଗତ କରାଯାଇଛି ।