ଥାଇଲ୍ୟାଣ୍ଡରେ ଗୁମ୍ଫାରେ ଫସିଥିବା ଖେଳାଳିଙ୍କୁ ଉଦ୍ଧାର ପାଇଁ ନୂଆ ପ୍ଲାନ୍ ! ଅକ୍ସିଜେନ୍ ସିଲିଣ୍ଡର ସହ ଭିତରକୁ ଯିବେ ଉଦ୍ଧାରକାରୀ

32

କନକ ବ୍ୟୁରୋ : ଥାଇଲ୍ୟାଣ୍ଡରେ ଗୁମ୍ଫାରେ ଫସିଥିବା ଖେଳାଳିଙ୍କୁ ଉଦ୍ଧାର ପାଇଁ ନୂଆ ଯୋଜନା ଆରମ୍ଭ କରାଯିବ । ଟ୍ୟୁବ୍ ଦ୍ୱାରା ଗୁମ୍ଫାରୁ ବାହାର କରିବାକୁ ଉଦ୍ୟମ କରାଯିବ । ଥାଇଲ୍ୟାଣ୍ଡରେ ଗୁମ୍ଫା ଭିତରେ ଫସି ରହିଥିବା ଖେଳାଳି ମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଥିବା ବେଳେ ଖରାପ ପାଗ ଯୋଗୁଁ  ଅକ୍ସିଜେନ୍ ସିଲିଣ୍ଡର ସହ ଭିତରକୁ ଯିବେ ଉଦ୍ଧାରକାରୀ । ରବିବାର ଦିନ ଥାଇ କର୍ତ୍ତୃପକ୍ଷ କହିଛନ୍ତି କି, ସେମାନେ ଥାଇଲାଣ୍ଡ୍ ଉତ୍ତରାଞ୍ଚଳରେ ଥିବା ଗୁମ୍ଫାର ଚତୁଃପାର୍ଶ୍ୱରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଇବାକୁ ଯୋଜନା କରୁଛନ୍ତି।

ରବିବାର ପ୍ରତ୍ୟୁଷରେ ସେ ପର୍ବତାଞ୍ଚଳରେ କଳାହାଣ୍ଡିଆ ମେଘ ଭାସି ବୁଲିବାରୁ ଏ ଭଳି ଘୋଷଣା କରାଯାଇଛି। ମାଏ ସାଇ ପୁଲିସ କମାଣ୍ଡର୍ କୋମ୍ସାନ୍ ସା-ଆର୍ଡଲୁଆନ୍ ମାଇକ୍ ଯୋଗେ କହିଛନ୍ତି: ସାମ୍ପ୍ରତିକ ପରିସ୍ଥିତିକୁ ବିଚାର କରାଯିବା ପରେ ଉଦ୍ଧାର କାର୍ୟ୍ୟ ନିମନ୍ତେ ସମ୍ପୃକ୍ତ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ଅତ୍ୟାବଶ୍ୟକ ହୋଇପଡ଼ିଛି। ଯେଉଁମାନେ ଉଦ୍ଧାର କାର୍ୟ୍ୟ ସହ ସମ୍ପୃକ୍ତ ନାହାନ୍ତି, ଦୟାକରି ସେମାନେ ତୁରନ୍ତ ଏ ଅଞ୍ଚଳ ଛାଡ଼ି ଚାଲି ଯାଆନ୍ତୁ।

ଘୋଷଣା ପରେ ଏକ ବଡ଼ ସାମ୍ବାଦିକ ଦଳ ଟ୍ରାଇପଡ୍ ଓ କ୍ୟାମେରା ଆଦି ପ୍ୟାକ୍ କରି ଚୂନପଥର ଗୁମ୍ଫାର ମୁହଁରୁ କାଦୁଆ ପାହାଡ଼ ଢାଲୁ ଦେଇ ତଳୁ ଓହ୍ଲାଉଛନ୍ତି। ରବିବାର ଓ ସୋମବାର ଦିନ ସେଠାରେ ଘଡ଼ଘଡ଼ି ସହ ବର୍ଷା ଢାଳି ପାରେ ବୋଲି ପାଣିପାଗ ବିଭାଗ କହିଛି। ତା’ଛଡ଼ା ଆଗାମୀ ଦୁଇ ସପ୍ତାହ ଯାଏଁ ତୋଫାନିଆ ପାଗ ରହିପାରେ ବୋଲି କୁହାଯାଉଛି। ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହେବ ବୋଲି ପୂର୍ବତନ ପାଦେଶିକ ରାଜ୍ୟପାଳ ନାରୋଙ୍ଗ୍ସାକ ଓସୋତ୍ତାଙ୍କାକୋର୍ଣ୍ଣ କହିଛନ୍ତି। ଅଭିଯାନରେ ସମ୍ପୃକ୍ତ ଚୀନ୍ ବୁଡ଼ାଳି ଗୋଙ୍ଗ୍ ହୁଇ ପ୍ରାୟ ୧୩୦ ଜଣ ଥାଇ ଓ ଆନ୍ତର୍ଜାତିକ ବୁଡ଼ାଳିଙ୍କୁ ଏକତ୍ର କରିଛନ୍ତି। ପମ୍ପ୍ ଲଗାଇ ନିୟୁତ ନିୟୁତ ଲିଟର୍ ପାଣି କଢ଼ାଯିବା ପରେ ଗୁମ୍ଫା ମଧ୍ୟରେ ଜଳସ୍ଥର ଖୁବ୍ କମିଯାଇଛି।