ଭାରତୀୟ ସେନାକୁ ସୁରକ୍ଷା ଚିନ୍ତା ! ଆତଙ୍କବାଦୀଙ୍କ ହାତରେ ଘାତକ ଷ୍ଟିଲ ଗୁଳି । ବୁଲେଟପ୍ରୁଫ ବଙ୍କରକୁ ମଧ୍ୟ ଭେଦ କରିବାକୁ ସକ୍ଷମ

32

ଜମ୍ମୁକଶ୍ମୀରରେ ସୁରକ୍ଷାବଳ ପାଇଁ ପୁଣି ଚିନ୍ତା ବଢ଼ିଛି । ଆତଙ୍କବାଦୀଙ୍କ ହାତରେ ଲାଗିଛି ବଙ୍କର ଭେଦ କରିବାର କ୍ଷମତା ରଖୁଥିବା ଷ୍ଟିଲ ଗୁଳି । ଅନୁସନ୍ଧାନରୁ ଜଣାପଡିଛି ଆତଙ୍କବାଦୀମାନେ ଏବେ ଏକେ-୪୭ରେ ଷ୍ଟିଲରେ ନିର୍ମିତ ଗୁଳି ବ୍ୟବହାର କରୁଛନ୍ତି । ଯାହା ବୁଲେଟପ୍ରୁଫ୍ ବଙ୍କରକୁ ଭେଦ କରିବାରେ ସକ୍ଷମ ହେବ । ସୁରକ୍ଷାବଳର ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ନୂଆବର୍ଷ ଅବସରରେ ଦକ୍ଷିଣ କଶ୍ମୀର ସ୍ଥିତ ଲେଥପୁରା ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣରେ ଷ୍ଟିଲ୍ ଗୁଳି ବ୍ୟବହାର କରିଥିଲେ । ବିସ୍ତୃତ ଯାଂଚ ପରେ ଏହା ସ୍ପଷ୍ଟ ହୋଇଛି ଯେ ଆତଙ୍କବାଦୀମାନେ କ୍ଲାସିକୋଭ୍ ରାଇଫଲରୁ ଚଳାଯାଇଥିବା ଗୁଳି ଷ୍ଟିଲର ଥିଲା । ଯାହା ଯବାନଙ୍କ ଦ୍ୱାରା ବ୍ୟବହୃତ ଢ଼ାଲକୁ ଭେଦ କରିବାରେ ସକ୍ଷମ ।

ଏହି ଗୁଳି କଠିନ ଷ୍ଟିଲ୍ କିମ୍ପା ଷ୍ଟଙ୍ଗଷ୍ଟନ କାର୍ବାଇଡ଼ରେ ନିର୍ମିତ । ତେବେ ଏହାକୁ ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଏକ ବରିଷ୍ଠ ଅଧିକାରୀ । ଅନ୍ୟପଟେ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ନିପାତ କରିବାକୁ ଆରମ୍ଭ ହେଲା ଅପରେସନ୍ ଅଲଆଉଟ-୨ । ଏହା ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ପୂର୍ବରୁ ରମଜାନ ମାସରେ ସେନା କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଥିଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ । ଉସୁକାଇବା ଭଳି ସ୍ଥିତି ନ ହେଲେ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ । ପବିତ୍ର ରମଜାନ ମାସରେ ସାମ୍ବାଦିକ ସୁଜାତ୍ ବୁଖାରୀ, ଯବାନ ଔରଙ୍ଗଜେବଙ୍କୁ ଅପହରଣ ଓ ହତ୍ୟା ସହ ଇଦ୍ ଦିନ ଜଣେ ଯବାନଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଏହାପରେ କେନ୍ଦ୍ର ସରକାର ସେନା ଉପରୁ ଅଙ୍କୁଶ ହଟାଇଛନ୍ତି । ଏପଟେ ଖୁବଶୀଘ୍ର ଭାରତୀୟ ଯବାନମାନଙ୍କୁ ମିଳିବ ଫୁଲ ବଡି ପ୍ରୋଟେକ୍ଟର୍ସ ଜ୍ୟାକେଟ । ଏହି ଜ୍ୟାକେଟ, ପିନ୍ଧିଥିବା ଯବାନଙ୍କ ଉପରେ ପଥର ମାଡ କିମ୍ବା ପେଟ୍ରୋଲ ବମର ପ୍ରଭାବ ପଡିବ ନାହିଁ ।