ଆତଙ୍କୀଙ୍କ ଟାର୍ଗେଟରେ ଲାଲକିଲ୍ଲା ! ସତର୍କ କଲା ଗୁଇନ୍ଦା ବିଭାଗ, ଆଫଗାନିସ୍ତାନ ପାସପୋର୍ଟରେ ଦିଲ୍ଲୀରେ ପଶିବାକୁ ଆତଙ୍କବାଦୀଙ୍କ ଯୋଜନା ।

486

କନକ ବ୍ୟୁରୋ : ଆତଙ୍କୀ ଟାର୍ଗେଟରେ ଲାଲକିଲ୍ଲା । ଲାଲକିଲ୍ଲାରେ ହୋଇପାରେ ବଡ ଧରଣର ଆକ୍ରମଣ ।ଏନେଇ ଦିଲ୍ଲୀ ପୋଲିସକୁ ଆଲର୍ଟ କଲା ଜାତୀୟ ସୁରକ୍ଷା ଏଜେନ୍ସି । ଦେଶରେ ଆଗକୁ ସ୍ୱାଧୀନତା ଦିବସ ପାଳନ ହେବାକୁ ଥିବା ବେଳେ ଏହାପୂର୍ବରୁ ହାଇଆଲର୍ଟ ଜାରି କରିଛି ସୁରକ୍ଷା ଏଜେନ୍ସି । ସ୍ୱାଧିନତା ଦିବସ ପାଳନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଆତଙ୍କ ସୃଷ୍ଟି କରିବାକୁ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆଫଗାନିସ୍ତାନ ପାସପୋର୍ଟରେ ଆତଙ୍କବାଦୀ ମାନେ ଦିଲ୍ଲୀରେ ପ୍ରବେଶ କରିବା ସହ ଏଭଳି ଆକ୍ରମଣ କରିପାରନ୍ତି । ଲାଲକିଲ୍ଲାର ୩ କିଲୋମିଟର ପରିଧି ମଧ୍ୟରେ ଆକ୍ରମଣ ହୋଇପାରେ । ସୁରକ୍ଷା ଏଜେନ୍ସିଙ୍କ ମୁତାବକ, ସ୍ୱରେଜ ଲାଇନ, ସୁଡଙ୍ଗ କିମ୍ବା ଅନ୍ୟ ବାଟରେ ଆକ୍ରମଣ କରିପାରନ୍ତି । ଆତଙ୍କବାଦୀ ମାନେ ସରକାରୀ ପୋଷାକ ଓ ଗାଡି ବ୍ୟବହାର କରିବା ସହ ଆକ୍ରମଣରେ ଆଇଡି ବ୍ୟବହାର କରିପାରନ୍ତି ।

ଗୁଇନ୍ଦା ସୂଚନା ଅନୁଯାୟୀ, ୩ରୁ ୪ ଜଣ ଆତଙ୍କବାଦୀ ଦିଲ୍ଲୀରେ ପ୍ରବେଶ କରି ଏହି ଆକ୍ରମଣ କରିପାରନ୍ତି । ବିଭିନ୍ନ ସଦିଗ୍ଧ କଲକୁ ଯାଞ୍ଚ କରିବା ପରେ ଗୁଇନ୍ଦା ବିଭାଗ ଏଭଳି ଆଶଙ୍କା କରିଛି । ଏହାଛଡା ଦେଶର ବିଭିନ୍ନ ବିମାନବନ୍ଦରରେ ମଧ୍ୟ ଆକ୍ରମଣ ନେଇ ସର୍ତକ ସୂଚନା ଜାରି କରିଛି ଗୁଇନ୍ଦା ବିଭାଗ । ତେଣୁ ପ୍ରତ୍ୟେକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ହାଇ ଆଲର୍ଟ ଜାରି କରାଯାଇଛି । ଏପରିକି ଭିଭିଆଇପି ଶ୍ରେଣୀର ବ୍ୟକ୍ତି ମଧ୍ୟ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବା କହିଛି ଗୁଇନ୍ଦା ବିଭାଗ ।

ଆତଙ୍କୀ ହମଲାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ କହିଛି ଗୁଇନ୍ଦା ବିଭାଗ । ସଦିଗ୍ଧ ବ୍ୟକ୍ତି କିମ୍ବା ସଦିଗ୍ଧ ଗାଡିକୁ ବାରମ୍ବାର ଯାଞ୍ଚ କରିବାକୁ କହିଛି ଗୁଇନ୍ଦା ବିଭାଗ । ଆତଙ୍କୀ ଆକ୍ରମଣ କରି ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଚାହୁଁଥିବା କହିଛି ଗୁଇନ୍ଦା ବିଭାଗ ।