କୁଖ୍ୟାତ ଆତଙ୍କୀର କେନ୍ଦ୍ରାପଡା ଲିଙ୍କ୍ । ଅବୁଦର ରେହମାନ ପରେ ଏନଆଇଏ କବଜାରେ ଓଡିଶାର ହବିବୁର ରେହମାନ

55

କନକ ବ୍ୟୁରୋ : ଲସ୍କର ଆତଙ୍କବାଦୀଙ୍କ ଓଡିଶା ଲିଙ୍କ୍ ।କୁଖ୍ୟାତ ଆତଙ୍କବାଦୀ ସଂଗଠନ ଲସ୍କର-ଇ- ତୋଇବାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହବିବୁର ରହେମାନକୁ ଏନଆଇଏ ନୂଆଦିଲ୍ଲୀର ଇନ୍ଦରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରିବା ପରେ ଦେଶ ବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ହବିବର ଘର କେନ୍ଦ୍ରାପଡା ବୋଲି ଜଣା ପଡିଛି । ସାଉଦି ଆରବର ରିଆଦରୁ ଫେରୁଥିବା ବେଳେ ବିମାନବନ୍ଦରରୁ ଗିରଫ କରିଛି ଏନଆଇଏ । ତେବେ ହବିବୁରଙ୍କୁ ରିମାଣ୍ଡରେ ଆଣିବା ସହ ପଚରାଉଚରା କରୁଛି ଏନଆଇ ଟିମ୍ ।

ହବିବୁରର ପାକିସ୍ତାନ ଆତଙ୍କବାଦୀ ଶେଖ ଅବଦୁଲ ନଇମ ସହ ସର୍ମ୍ପକ ଥିବା ଜଣାପଡିଛି । ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ତଥା ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦର ଘନିଷ୍ଠ ସହଯୋଗୀ ହେଉଛି ଶେଖ ଅବଦୁଲ ନଇମ । ହବିବୁର ରେହମାନ ମୁଖ୍ୟତଃ ଶେଖ ଅବଦୁଲ ନଇମ ପାଇଁ ଟଙ୍କା ଯୋଗାଡ କରିବା ଓ ଲୁଚାଇ ରଖିବା ପାଇଁ କାର୍ଯ୍ୟ କରୁଥିଲା । ପୂର୍ବରୁ ହବିବୁର ରେହମାନ ନାଁରେ ଏନବିଡବ୍ଲୁ ମଧ୍ୟ ରହିଛି । ହବିବୁର ଲସ୍କର-ଇ- ତଇବାର ଆତଙ୍କବାଦୀ କମାଣ୍ଡର ମାନଙ୍କୁ ଭାରତରେ ଆତଙ୍କୀ ହାମ୍ଲା କରିବା ପାଇଁ ପାକିସ୍ତାନ ଓ ବାଂଲାଦେଶ ସୀମାନ୍ତ ଦେଇ ଭାରତ ମଧ୍ୟକୁ ପଠାଇଥାଏ। ଏପରିସ୍ଥିତରେ ଦିଲ୍ଲୀ ଇନ୍ଦରା ଗାନ୍ଧୀ ଅନ୍ତର୍ଜାତିକ ବିମାନ ବନ୍ଦରରୁ ହବିବୁରକୁ ଏନଆଇଏ ଅଧିକାରୀମାନେ ଗିରଫ କରିବା ପରେ ଦେଶ ମଧ୍ୟରେ ଏବେ ଆଉ କିଛି ଆତଙ୍କବାଦୀ ଆତ୍ମଗୋପନ କରି ରହିଥିବା ସନ୍ଦେହ କରୁଛନ୍ତି ଦେଶର ସୁରକ୍ଷା ଏଜେନ୍ସି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏଥରକ ସ୍ୱାଧୀନତା ଦିବସ ସମୟରେ ରାଜଧାନୀ ନୂଆଦିଲ୍ଲୀ ଠାରୁ ଆରମ୍ଭ କରି ସୀମାନ୍ତର ସେନା କ୍ୟାମ୍ପ ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନଗୁଡ଼ିକ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଆତଙ୍କବାଦୀ ମାନଙ୍କର ସାଟେଲାଇଟ୍ ଫୋନରେ ହେଉଥିବା ବାର୍ତ୍ତାଳାପକୁ ଟ୍ରାକ୍ କରି ଭାରତୀୟ ଗୁଇନ୍ଦା ବିଭାଗ ସତର୍କ ସୂଚନା ଜାରି କରିଥିଲା। ତେବେ, ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ମିଳିବା ପରେ ପରେ ରାଜଧାନୀ ନୂଆଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ହମଲା କରିବା ଲକ୍ଷ୍ୟରେ ଦିଲ୍ଲୀ ଅଭିମୁଖେ ଆସୁଥିବା ଏକ କୁଖ୍ୟାତ ଆତଙ୍କବାଦୀ ଅରଫାନ୍ ଓ୍ଵାନିକୁ ଜମ୍ମୁ- କଶ୍ମୀର ପୁଲିସ୍ ଗତକାଲି ଶ୍ରୀନଗରରୁ ରବିବାର ଗିରଫ କରିବା ସହ ତା’ ନିକଟରୁ ୮ଟି ଜୀବନ୍ତ ଗ୍ରେନେଡ୍ ଜବତ କରଥିଲା। ଅରଫାନ୍ ଓ୍ଵାନିର ଗିରଫଦାରିକୁ ୨୪ ଘଣ୍ଟା ନପୂରୁଣୁ ଏନଆଇଏ ଅଧିକାରୀମାନେ ଆଜି ଅପରାହ୍ଣରେ ନୂଆଦିଲ୍ଲୀର ଇନ୍ଦରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କୁଖ୍ୟାତ ଆତଙ୍କବାଦୀ ହବିବୁର ରହେମାନକୁ ଗିରଫ କରିବା ପରେ ଏବେ ସୁରକ୍ଷା କର୍ମୀଙ୍କ ଆଖିରୁ ନିଦ ହଜି ଯାଇଛି।