ପୁଲୱାମା ପୋଲିସ ଥାନା ଉପରେ ଆତଙ୍କବାଦୀ ଆକ୍ରମଣ । ଗ୍ରେନେଡ ଆକ୍ରମଣରେ ୮ ଗୁରୁତର ।

137

ପୁଲୱାମାରେ ପୁଣି ଆତଙ୍କବାଦୀ ଆକ୍ରମଣ । ପୁଲୱାମାର ପୋଲିସ ଥାନା ଉପରେ ଗ୍ରେନେଡ ଆକ୍ରମଣ ହୋଇଥିବା ବେଳେ ଏଥିରେ ୮ ଜଣ ସାଧାରଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଆଉ ଏହି ଘଟଣା ପରେ ପୂରା ଅଞ୍ଚଳକୁ ସିଲ୍ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆତଙ୍କବାଦୀ ମାନେ ପୁଲୱାମା ପୋଲିସ ଥାନା ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ ମଧ୍ୟ ଏହା ଥାନା ବାହାରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୮ ଜଣ ସାଧାରଣ ନାଗରିକ ଗୁରୁତର ଭାବେ ଆହତ ହୋଇଛନ୍ତି । ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତ କିଛି ଦିନ ହେବ ଜମ୍ମୁ-କାଶ୍ମୀରରେ ଲଗାତାର ଭାବେ ଆତଙ୍କବାଦୀ ଆକ୍ରମଣ ହେଉଛି । ଏପରିକି ଗତକାଲି ପୁଲୱାମାରେ ହୋଇଥିବା ଆଇଡି ବିସ୍ଫୋରଣରେ ଦୁଇ ଜଣ ଯବାନ ମଧ୍ୟ ଶହୀଦ ହୋଇଛନ୍ତି । ସେହିଭଳି ମଙ୍ଗଳବାର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ମଧ୍ୟ ଶହୀଦ ହୋଇଛନ୍ତି ।

ଏହାପୂର୍ବରୁ ପୁଲୱାମାରେ ଆଇଡି ବିସ୍ପୋରଣ ହୋଇପାରେ ବୋଲି ସୂଚନା ମଧ୍ୟ ମିଳିଥିଲା । ୪୪ ରାଷ୍ଟ୍ରୀୟ ରାଇଫଲ୍ ସେନା ଗାଡି ଉପରେ ସେତେବେଳେ ଆକ୍ରମଣ କରାଯାଇଥିଲା ଯେତେବେଳେ ଯବାନ ମାନେ ଗାଡିରେ ଆରିଆଲ ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ଗାଡି ବୁଲେଟପ୍ରୁଫ୍ ଥିଲେ ମଧ୍ୟ ବିସ୍ଫୋରଣରେ ୯ ଜଣ ଯବାନ ଆହତ ହୋଇଥିଲେ । ଆଉ ଆହତ ଯବାନଙ୍କ ମଧ୍ୟରୁ ଆଜି ସକାଳେ ଦୁଇ ଜଣ ଶହୀଦ ହୋଇଥିଲେ ।