ରାଜ୍ୟପାଳ ଶାସନ ପରେ କାଶ୍ମୀର ବଡ ଆତଙ୍କବାଦୀ ହମଲା : ପୋଲିସ ଗାଡିକୁ ଆକ୍ରମଣ । ଜଣେ ସୁରକ୍ଷାକର୍ମୀ ମୃତ, ୨ ଆହତ

44

କନକ ବ୍ୟୁରୋ: ଶ୍ରୀନଗର-ଜମ୍ମୁ ରାଜମାର୍ଗରେ ଗଲାନ୍ଦର ନିକଟରେ ପୋଲିସ ଗାଡି ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ପଂପୋର ଅଂଚଳରେ ଭାରତୀୟ ରିଜର୍ଭ ପୁଲିସର ଗାଡି ଉପରେ ମନଇଚ୍ଛା ଗୁଳି ଚଳାଇଥିଲେ । ଏଥିରେ ଜଣେ କନଷ୍ଟବଳ ଆହତ ହୋଇଥିଲେ । ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ଏଥିସହ ୩ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏହି ଗାଡିରେ କିଛି ପୋଲିସ କର୍ମୀ ବସିଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।

ସେପଟେ, ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ ଆଗକୁ ଜୋରଦାର ହେବ ଏବଂ ଏ ବାବଦରେ କେନ୍ଦ୍ର ସରକାର ସୁଦୃଢ଼ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ରମ୍ଜାନ ମାସ ପାଇଁ ଅସ୍ତ୍ରବିରତି ଏବଂ ଆତଙ୍କବାଦୀ ନିପାତ ଅଭିଯାନ ସ୍ଥଗିତ ରଖାଯିବା ଦ୍ୱାରା ମାମଲା ଅଧିକ ବିଗିଡ଼ି ଥିବାରୁ କେନ୍ଦ୍ର ସରକାର ନିଜ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛନ୍ତି। ଏବେ ପୁଣି ଥରେ ଅପରେସନ ଅଲ୍ ଆଉଟ୍ ଆରମ୍ଭ ହୋଇଛି ଏବଂ ଚଳିତ ପର୍ଯ୍ୟାୟରେ ୪ ଦିନ ଭିତରେ ୯ ଜଣ ଆତଙ୍କବାଦୀ ନିପାତ ହୋଇଛି। କଶ୍ମୀରର ସର୍ବାଧିକ ବିଶୃଙ୍ଖଳିତ ଅଂଚଳରେ ଏବେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ସଙ୍କେତ ଦେଇସାରିଛନ୍ତି।

ଜମ୍ମୁ କଶ୍ମୀରରେ ରାଜ୍ୟପାଳ ଶାସନ ଆଜିଠାରୁ ଲାଗୁହେବା ସହ ସେନା, ପୁଲିସ ଏବଂ ସିଆରପିଏଫର ମିଳିତ ଅଭିଯାନ ମଧ୍ୟ ବ୍ୟାପକ ହୋଇଛି। ଦକ୍ଷିଣ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସେନାମୁଖ୍ୟ ଜେନେରାଲ ବିପିନ ରାଓ୍ଵତ୍ ଗତକାଲି କହିଥିଲେ ଯେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନ ଯଥାରୀତି ଚାଲିବ ଏବଂ କୌଣସି ରାଜନୈତିକ ଘଟଣାକ୍ରମ ଦ୍ୱାରା ଏହା ପ୍ରଭାବିତ ହେବନାହିଁ । ସେନାବାହିନୀର କାର୍ୟ୍ୟରେ କେବେ ବି କୌଣସି ପ୍ରତିବନ୍ଧକ ଉପୁଜିନାହିଁ ବୋଲି ରାଓ୍ଵତ କହିଥିଲେ ।