ନୂଆବର୍ଷ ପୂର୍ବରୁ କାଶ୍ମୀର ସିଆରପିଏଫ କ୍ୟାମ୍ପରେ ଗ୍ରେନେଡ ଓ ଗୁଳିମାଡ । ୫ ଯବାନ ସହିଦ, ୨ ଆତଙ୍କବାଦୀ ନିହତ

28

କନକ ବ୍ୟୁରୋ : ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ସିଆରପିଏଫ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ । ସିଆରପିଏଫ କ୍ୟାମ୍ପ ଭିତରେ ପଶି ଆକ୍ରମଣ କରିଛନ୍ତି ୩ ଜଣ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀର ସ୍ଥିତ ଅବନ୍ତିପୁରା ପୁଲୱାମାର ଏହି କ୍ୟାମ୍ପ ଭିତରକୁ ପ୍ରଥମେ ଗ୍ରେନେଡରେ ଆକ୍ରମଣ କରିଥିଲେ ଆତଙ୍କୀ । ଆଖିବୁଜା ଗୁଳିଚାଳନା କରିବା ସହ କ୍ୟାମ୍ପ ଭିତରକୁ ଧଶେଇ ପଶିଥିଲେ ଆତଙ୍କବାଦୀ ।

ଫଳରେ ଏଥିରେ ୫ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି । ରାତି ପ୍ରାୟ ୨ଟା ବେଳେ ଆତଙ୍କବାଦୀ ଏହି ଟ୍ରେନିଂ କ୍ୟାମ୍ପ ଭିତରକୁ ପଶିଥିଲେ । ଯବାନମାନେ କ୍ୟାମ୍ପକୁ ଚାରିପଟୁ ଘେରି ପାଲଟା ଆକ୍ରମଣ କରିଥିଲେ । ଯବାନଙ୍କ ଅପରେସନରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସେପଟେ ଟ୍ରେନିଂ କ୍ୟାମ୍ପ ଭିତରେ ହୋଇଥିବା ଆକ୍ରମଣ ପାଇଁ ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଆତଙ୍କବାଦୀ କମାଣ୍ଡର ନୁର ତ୍ରାଲିର ହତ୍ୟାର ବଦଲା ନେଉଛି ବୋଲି କହିଛି ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ । ଆତଙ୍କବାଦୀ ଆକ୍ରମଣ କରିଥିବା ସିଆରପିଏଫ ଟ୍ରେନିଂ କ୍ୟାମ୍ପ ଭିତରେ ୧୮୫ ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ରହିଛି ।