ପୁଲୱାମାରେ ବଡ ଆତଙ୍କବାଦୀ ଆକ୍ରମଣ : ୪୪ ଜଣ ଯବାନ ସହିଦ, ଆସନ୍ତାକାଲି ବସିବ କ୍ୟାବିନେଟ ସୁରକ୍ଷା ସମିତି ବୈଠକ । ଆଲୋଚନା ପରେ ନିଆଯିବ ବଡ ନିଷ୍ପତି

315

କନକ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ଆଜି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ସୈନିକ ସଂଖ୍ୟା ୪୪ରେ ପହଞ୍ଚିଛି । ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନିନ୍ଦା କରିବା ସହ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସହିଦ ଯବାନ ମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ସେ କହିଛନ୍ତି । ସହିଦ ଯବାନ ମାନଙ୍କ ପରିବାର ପଛରେ ସମଗ୍ର ଦେଶ ରହିଛି ବୋଲି ସେ କହିଛନ୍ତି ।

ଆଉ ଏକ ଟ୍ଵିଟ କରି ମୋଦି କହିଛନ୍ତି ଯେ ସେ ଏସଂପର୍କରେ ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ କଥା ହୋଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ଟ୍ଵିଟ କରିଛନ୍ତି ଯେ ଏହି ଆକ୍ରମଣ ଆତଙ୍କବାଦୀଙ୍କ ଏକ କାପୁରୁଷ ପଣିଆର ନିଦର୍ଶନ । ଦେଶ ସହିଦ ଯବାନମାନଙ୍କୁ ସାଲ୍ୟୁଟ କରୁଛି । ଆତଙ୍କବାଦୀଙ୍କ ଏହି କାଣ୍ଡ ପାଇଁ ସେମାନଙ୍କୁ ଏପରି ଶିକ୍ଷା ଦିଆଯିବ ଯେ ସେମାନେ ତାହାକୁ ଭୁଲିପାରିବେ ନାହିଁ ।

ଏହି ଘଟଣା ପରେ ଆସନ୍ତାକାଲି କ୍ୟାବିନେଟ ସୁରକ୍ଷା ସମିତିର ଜରୁରୀ ବୈଠକ ଡକାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆସନ୍ତାକାଲି ସକାଳ ୯ଟାରେ ଏହି ବୈଠକ ହେବ । ଏଥିରେ ଆଲୋଚନା ହେବା ପରେ ପରବର୍ତ୍ତୀ ପଦକ୍ଷେପ ପାଇଁ ନିଷ୍ପତି ନିଆଯିବ । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, କେନ୍ଦ୍ର ଗୃହ ସଚିବ ସାମିଲ ହେବେ ।