ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କଡ଼ା ବାର୍ତ୍ତା : କହିଲେ, ରମଜାନ୍ ଅସ୍ତ୍ରବିରତି ପ୍ରସ୍ତାବ ପ୍ରତି ରହିଛି ସମ୍ମାନ, କିନ୍ତୁ ଉସୁକାଇଲେ ଦିଆଯିବ ଉଚିତ ଜବାବ୍

24

କନକ ବ୍ୟୁରୋ : ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ଅସ୍ତ୍ରବିରତି ପ୍ରସ୍ତାବ ପ୍ରତି ସମ୍ମାନ ରହିଛି କିନ୍ତୁ ଉସୁକାଇବା ଭଳି କାମ କଲେ ପାକିସ୍ତାନକୁ ଦିଆଯିବ ଉଚିତ ଜବାବ୍ । ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତିର ଉଲ୍ଲଂଘନ କରାଯାଉଥିବାବେଳେ ଆଜି ଏହାର ଉତ୍ତର ରଖିଛନ୍ତି ନିର୍ମଳା । ଏହାବ୍ୟତୀତ ଯୁଦ୍ଧାସ୍ତ୍ର ଅଭାବ ଓ ରାଫେଲ୍ ଡିଲ୍ ସମ୍ପର୍କରେ ବି ବୟାନ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନପରେ ଏହାର ଜବାବ୍ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ । ପବିତ୍ର ରମଜାନ୍ ମାସରେ ଅସ୍ତ୍ରବିରତି ପ୍ରସ୍ତାବକୁ ଭାରତ ସମ୍ମାନ କରେ କିନ୍ତୁ ଉସୁକାଇବା ଭଳି କାମ କଲେ ପାକିସ୍ତାନ ଉଚିତ ଜବାବ୍ ଦିଆଯିବ ବୋଲି ସେ କହିଛନ୍ତି । ଶାନ୍ତି ସ୍ଥାପନ ପାଇଁ ପାକିସ୍ତାନ ସହ ଆଲୋଚନା ପ୍ରସଙ୍ଗରେ ସେ କହିଛନ୍ତି, ଆତଙ୍କବାଦ ଓ ଆଲୋଚନା ଏକା ସହ ହୋଇପାରିବ ନାହିଁ । ରକ୍ଷା ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନେକ ପ୍ରସଙ୍ଗରେ ସେ ମତଦେଇଛନ୍ତି ।

ଗତ ସପ୍ତାହ ଡିଜିଏମଓ ସ୍ତରୀୟ ଆଲୋଚନାରେ ୨୦୦୩ ଅସ୍ତ୍ରବିରତି ଚୁକ୍ତିକୁ ଜାମ୍ମୁ ଓ କାଶ୍ମୀରରେ ଲାଗୁ ପାଇଁ ସହମତ ହୋଇଥିଲେ ଭାରତ ଓ ପାକିସ୍ତାନ । ସୀମାରେ ଶାନ୍ତିସ୍ଥାପନ ପାଇଁ ଉଭୟ ଦେଶ ଉଦ୍ୟମ କରିବାନେଇ ଆଲୋଚନା ହୋଇଥିଲା । ସେହିପରି ପବିତ୍ର ରମଜାନ ମାସରେ ଆବଶ୍ୟକ ନହେଲେ ସେନା କାର୍ଯ୍ୟାନୁଷ୍ଠାନ କରିବନାହିଁ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂ କହିଥିଲେ । ତେବେ ଏହାର ପ୍ରଭାବ ପାକିସ୍ତାନ ଉପରେ ପଡ଼ିବା ଦେଖିବାକୁ ମିଳିନଥିଲା । ବରଂ ସୀମା ସେପଟୁ ପାକିସ୍ତାନୀ ରେଂଜର୍ ବାରମ୍ବାର କରୁଥିଲେ ଗୁଳି ଓ ମୋର୍ଟାର୍ ମାଡ଼ । ଆଜି ପ୍ରତିରକ୍ଷା ମନ୍ତ୍ରୀ ଏସମ୍ପର୍କରେ ସ୍ପଷ୍ଟ ଜଣାଇଛନ୍ତି ଭାରତର ଆଭିମୁଖ୍ୟ ।