ବ୍ରିଟେନର ଫୁଟିଲା ବୋମା ! ବିଶ୍ୱର ସବୁଠୁ ସୁରକ୍ଷିତ ସହର ଲଣ୍ଡନରେ ଆତଙ୍କବାଦୀ ହମଲା

36

କନକ ବ୍ୟୁରୋ : ବିସ୍ଫୋରଣରେ ଥରିଲା ଲଣ୍ଡନ । ଅଣ୍ଡରଗ୍ରାଉଣ୍ଡ ଷ୍ଟେସନରେ ବିସ୍ଫୋରଣ ଆଜି ସାରା ବିଶ୍ୱକୁ ଦୋହଲାଇ ଦେଇଛି । ବିସ୍ଫୋରଣରେ ଅନେକ ଯାତ୍ରୀଙ୍କ ମୁହଁ ପୋଡିଯାଇଥିବା ବେଳେ ପ୍ରାୟ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଦଳାଚକଟା ଯୋଗୁଁ ଅନେକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ଏଥିରେ ଆତଙ୍କବାଦୀଙ୍କ ହାତ ସନ୍ଦେହ କରି ଛାନଭିନ ଆରମ୍ଭ କରିଛି ପୁଲିସ । ପୁରା ଅଂଚଳକୁ ସିଲ କରିବା ସହ ସୁରକ୍ଷା ଛାଉଣୀରେ ଭିତରେ ରଖାଯାଇଛି ।

ପୁଣିଥରେ ବ୍ଲାକ୍ ଫ୍ରାଇଡେ : ପୁଣିଥରେ ଆତଙ୍କୀ ଟାର୍ଗେଟରେ ଲଣ୍ଡନ

ଲଣ୍ଡନ ଯେତେବେଳେ ପ୍ରସ୍ତୁତ ହେଉଥିଲା ନୂଆ ଏକ ଦିନର ସ୍ୱାଗତ ପାଇଁ କେହି କିଛି ବୁଝିବା ପୂର୍ବରୁ ସାଉଥ୍ ୱେଷ୍ଟ ଲଣ୍ଡନର ପାର୍ସନ୍ସ ଗ୍ରୀନ୍ ଭୂତଳ ଷ୍ଟେସନରେ ହୁଏ ବଡ଼ ଧମାକା । ବିସ୍ଫୋରଣ ପରେ ଆରମ୍ଭ ହୁଏ ଲୋକଙ୍କର ଧାଁ ଦଉଡ଼ । ନିଜ ଜୀବନ ବଂଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରନ୍ତି ସମସ୍ତେ । ପୁଣିଥରେ ନୀରିହ ରକ୍ତରେ ଭିଜେ ଲଣ୍ଡନ ମାଟି । ପୁଣି ଏକ କଳା ଶୁକ୍ରବାରରେ ଖେଳାଯାଏ ମୃତ୍ୟୁ ଓ ଆତଙ୍କର ଭୟଙ୍କର ଖେଳ । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀର ଉଦ୍ଧାରକାର୍ଯ୍ୟ ଏବେ ଜାରି ରହି ଥିବା ବେଳେ ବିସ୍ଫୋରଣ ଯୋଗୁ ଆହତଙ୍କ ସଂଖ୍ୟା ବଢ଼ିବାର ଅନୁମାନ କରାଯାଉଛି । ସେପଟେ ଏହି ଘଟଣାରେ ମେଟ୍ରୋ ସେବାକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଛି ।

ଚରମପନ୍ଥୀଙ୍କ ଟାର୍ଗେଟରେ ଲଣ୍ଡନ : ଏବେ ପୁଣିଥରେ ଲଣ୍ଡନରେ ମୃତ୍ୟୁର ତାଣ୍ଡବ

କେବେ ଇସଲାମିକ ଚରମପନ୍ଥୀ ତ କେବେ ଆତଙ୍କବାଦୀ ଗତ କିଛି ଦିନ ହେଲା ବ୍ରିଟେନ୍ ବାରମ୍ବାର ଶିକାର ହୋଇଛି ଆତଙ୍କବାଦର । ଏବେ ପାର୍ସନ୍ସ ଗ୍ରୀନ୍ ଅଣ୍ଡର ଗ୍ରାଉଣ୍ଡ ଷ୍ଟେସନ୍ରେ ଭୟାନକ ବିସ୍ଫୋରଣ ମନେ ପକାଇଦେଇଛି ପୂର୍ବରୁ ଘଟିଥିବା ଏକାଧିକ ଆତଙ୍କୀ ଘଟଣାକୁ । ଧମାକାର ଆତଙ୍କୀ ଲିଙ୍କର ପୁଲିସ ଖୋଳତାଡ଼ କରୁ ଥିବା ବେଳେ ଆହତଙ୍କୁ ଭର୍ତ୍ତି କରାଯାଇଛି ବିଭିନ୍ନ ହସ୍ପିଟାଲରେ । ତେବେ ପ୍ରାଥମିକ ତଦନ୍ତରୁ ଏହା ଚରମପନ୍ଥୀଙ୍କ କାମ ବୋଲି ପୁଲିସ ଅନୁମାନ କରିଛି । ଏହି ବିସ୍ଫୋରଣ ପରେ ଆତଙ୍କ ବିରୋଧୀ ଲଢ଼େଇକୁ ଜୋରଦାର କରିବାକୁ ପୁଣିଥରେ ଉଠିଛି ଦାବି ।

ଭୟର ଭୟଙ୍କର ବାତାବରଣ, ଆତଙ୍କର ଖତରନାକ୍ ଖେଳ : ଟେରର୍ ଟାର୍ଗେଟରେ ଲଣ୍ଡନ

୪ ଜୁନ୍ ୨୦୧୭ । ପଥଚାରୀଙ୍କ ଉପରେ ଆତଙ୍କବାଦୀ ଗାଡ଼ି ଚଢ଼ାଇବା ଓ ଛୁରୀ ଭୁଷିବା ଘଟଣା ସାମ୍ନାକୁ ଆସେ । ୨୩ ମେ ୨୦୧୭ । ମାଂଚେଷ୍ଟର ମ୍ୟୁଜିକ କନସର୍ଟ ଧମାକାରେ ଯାଏ ୨୨ ବ୍ୟକ୍ତିଙ୍କ ଜୀବନ । ୨୨ ମାର୍ଚ୍ଚ ୨୦୧୭ । ୱେଷ୍ଟ ମିନିଷ୍ଟରରେ ହୋଇଥିବା ଆକ୍ରମଣରେ ପୁଲିସ ଅଧିକାରୀଙ୍କ ସମେତ ୫ ଜଣ ମୃତ୍ୟୁବରଣ କରନ୍ତି । ୨୦ ଅକ୍ଟୋବର ୨୦୧୬ । ଜୁବୁଲି ଲାଇନରେ ଟ୍ୟୁବ୍ ଟ୍ରେନରେ ହୁଏ ଧମାକା । ଏହା ବ୍ୟତୀତ ୭ ଜୁଲାଇ ୨୦୦୫ରେ ମଧ୍ୟ ଆତଙ୍କବାଦୀ ବିସ୍ଫୋରଣରେ ପ୍ରାଣ ହରାନ୍ତି ୫୨ ନୀରିହ ବ୍ୟକ୍ତି । ଏବେ ଏହି ଘଟଣା ପରେ ପୁଣିଥରେ ଶୁଭିଛିି ଆତଙ୍କ ବିରୋଧୀ ସ୍ୱର । ଆତଙ୍କବାଦ ବିରୁଦ୍ଧରେ ସାରା ପୃଥିବୀ ଏକଜୁଟ୍ ହୋଇ ଲଢ଼ିବାକୁ ଉଠିଛି ଦାବି ।