ଜମ୍ମୁ କଶ୍ମୀର ଅଖନୁର ସେକ୍ଟରରେ ଆତଙ୍କବାଦୀ ହମଲା : ୩ କର୍ମଚାରୀ ମୃତ

30

କନକ ବ୍ୟୁରୋ : ଜମ୍ମୁ କଶ୍ମୀର ଅଖନୁର୍ ସେକ୍ଟରରେ ଥିବା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ । ଅଖନୁର୍ ସେକ୍ଟରର ସୀମା ନିକଟବର୍ତୀ ଜେନେରାଲ ରିଜର୍ଭ ଇଞ୍ଜିନିୟରିଂ ଫୋର୍ସର କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଆକ୍ରମଣରେ ୩ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ କେତେଜଣ ଆତଙ୍କବାଦୀଙ୍କ ସମ୍ପୃକ୍ତି ଅଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସୀମାନ୍ତବର୍ତୀ ଅଂଚଳରେ ରାସ୍ତା ନିର୍ମାଣ ଓ ଏହାର ରକ୍ଷଣାବେକ୍ଷଣରେ ଦାୟିତ୍ୱରେ ଥାନ୍ତି ଜେନେରାଲ ରିଜର୍ଭ ଇଞ୍ଜିନିୟରିଂ ଫୋର୍ସ ଓ ବୋଡର୍ସ ରୋଡ ଇଞ୍ଜିନିୟରିଂ ସର୍ଭିସ । ଅନ୍ତର୍ଜାତୀୟ ସୀମାରୁ ମାତ୍ର ୨କିଲୋମିଟର ଦୂରରେ ରହିଛି ଏହି କ୍ୟାମ୍ପ ।

ଆତଙ୍କବାଦୀ ଆକ୍ରମଣ ପରେ ସ୍ଥାନୀୟ ଅଂଚଳରେ ଥିବା ସମସ୍ତ କ୍ୟାମ୍ପକୁ ଆଲର୍ଟ ଜାରି କରାଯାଇଛି । ଏହାସହ ସୀମା ନିକଟବର୍ତୀ ବଟାଲ ଗାଁରେ ଗୁଳିଗୁଳିର ଶବ୍ଦ ଣୁଣିବାକୁ ମିଳିଥିଲା । ସେହି ଅଂଚଳ ଦେଇ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ସୂଚନା ମିଳିଛି । ଏପରିକି ଗାଁଲୋକେ ୨ରୁ ୩ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିବା କହିଛନ୍ତି ।