ନ୍ୟୁ’ ଇୟର ସେଲେବ୍ରିସନରେ ନାଇଟ୍ କ୍ଲବରେ ଅଘଟଣ : ଆତଙ୍କବାଦୀଙ୍କ ଗୁଳିମାଡରେ ଟଳି ପଡିଲେ ୩୫ ଜଣ

21

କନକ ବ୍ୟୁରୋ : ନାଇଟ କ୍ଲବରେ ଚାଲିଥିଲା ନ୍ୟୁ’ ଇୟର ସେଲେବ୍ରିସନ । ହସଖୁସିରେ ମସଗୁଲ ଥିଲେ ଲୋକେ । ହେଲା ଗୁଳି ବର୍ଷା । ଘଟଣାସ୍ଥଳରେ ଟଳି ପଡିଲେ ୩୫ ଜଣ । ୫୦ରୁ ଅଧିକ ଗୁରୁତର ଭାବେ ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଘଟଣା ଘଟିଛି ତୁର୍କି ଇସ୍ତାନବୁଲର ଏକ ନାଇଟ୍ କ୍ଲବରେ । ସୂଚନା ଅନୁଯାୟୀ ଜଣେ ଆତଙ୍କବାଦୀ ସାଂଟାକ୍ଲଜ୍ ବେଶରେ ଆସି ଅନ୍ଧାଧୁନିଆ ଗୁଳି ବର୍ଷା କରିଥିଲା ।

କିଛି ବୁଝିବା ପୂର୍ବରୁ ଘଟଣା ସ୍ଥଳରେ ଟଳି ପଡିଥିଲେ ୩୫ରୁ ଅଧିକ । ଅନେକଙ୍କ ଦେହରେ ଗୁଳି ମାଡ ହେବା ଯୋଗୁଁ ଆହତ ହୋଇଥିଲେ । ନୂଆ ବର୍ଷର ସ୍ୱାଗତ ପାଇଁ ଆୟୋଜନ ହୋଇଥିବା ରଂଗୀନ ପରିବେଶ ପରିବର୍ତନ ହୋଇ ଯାଇଥିଲା ଶୋକାକୁଳ ପରିବେଶରେ ।

ପାଖାପାଖି ୭୦୦ ଲୋକ ନାଇଟ୍ କ୍ଲବରେ ଉତ୍ସବ ମନାଉଥିଲେ । ଆତଙ୍କବାଦୀ ହମଲା ପରେ ସ୍ଥାନୀୟ ପୁଲିସ ଓ ଡାକ୍ତରୀ ଦଳ ଘଙଟଣା ସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ କରିଥିଲା । ଏହାକୁ ମିଶାଇ ୨୦୧୬ରେ ତୁର୍କିରେ ୮ଟି ବଡ ଧରଣର ଆତଙ୍କବାଦୀ ହମଲା ହୋଇଛି । ପାଶ୍ଚାତ୍ୟ ସଭ୍ୟତା ଆପଣେଇ ଥିବାରୁ ଆଇଏସ ଓ ମୌଳବାଦୀ ଆତଙ୍କବାଦୀ ଗୋଷ୍ଠୀଙ୍କ ଟାର୍ଗେଟରେ ରହିଛି ତୁର୍କି ।