ଶ୍ରୀମନ୍ଦିର ଚାବି ହଜିବା ପ୍ରସଙ୍ଗ : ଟର୍ମ୍ସ ଅଫ୍ ରେଫରେନ୍ସ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ସରକାର

31

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ବିବାଦରେ ଗଠିତ ହୋଇଥିବା ନ୍ୟାୟିକ ତଦନ୍ତ କମିଶନର ଟର୍ମ ଅଫ ରେଫରେନ୍ସ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । କେଉଁ କାରଣ ଓ କେଉଁ ପରିସ୍ଥିତିରେ ଚାବି ହଜିଲା ସେ ନେଇ ତଦନ୍ତ କରିବ କମିଶନ । ଚାବି ହଜିବା ଘଟଣାରେ ବ୍ୟକ୍ତିବିଶେଷ, ଗୋଷ୍ଠୀ କିମ୍ବା ଅନୁଷ୍ଠାନର କୌଣସି ଭୂମିକା ଅଛି ନା ନାହିଁ ସେ ନେଇ ବି ତଦନ୍ତ ହେବ । ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତି ନ ହୁଏ ସେ ଦିଗ ପ୍ରତି ବି ଧ୍ୟାନ ଦେବ କମିଶନ । ୩ ମାସ ମଧ୍ୟରେ ଏହି କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବ । ପୂର୍ବରୁ ଏ ବିଷୟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ଘଟଣାର ତଦନ୍ତ କରିବେ । ବିଜ୍ଞପ୍ତିରେ କୁହାଯାଇଛି ଯେ, କମିଶନ ଅଫ ଇନକ୍ୱାରୀ ଆକ୍ଟ ୧୯୫୨ ଅନୁସାରେ ଘଟଣାର ତଦନ୍ତ ହେବା ଦରକାର ।

ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପାଇଁ କମିଟି ଗଠନ କଲା ଆଇନବିଭାଗ । ଏହି କମିଟି ରାଜ୍ୟ ବାହାରକୁ ଯାଇ ବିଭିନ୍ନ ମନ୍ଦିରର ପରିଚାଳନାର ଅନୁଧ୍ୟାନ କରିବେ । ସୁରୋଶ ମହାପାତ୍ରଙ୍କୁ ଏହି କମିଟିର ଅଧକ୍ଷ ଭାବେ ମନୋନୀତ କରାଯାଇଛି । ବରିଷ୍ଠ ଆଇପିଏସ୍ ଅଧିକାରୀ ସୌମେନ୍ଦ୍ର ପ୍ରୀୟଦର୍ଶିଙ୍କୁ କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ମହିମୋହନ ତ୍ରିପାଠୀ କମିଟିର ସଦସ୍ୟ ରହିଛନ୍ତି । ଶ୍ରୀମନ୍ଦିରରେ ବାରମ୍ବାର ବିଶୃଙ୍ଖଳା ହେବା ପ୍ରସଙ୍ଗରେ ଏକ ଆବେଦନର ଶୁଣାଣି କରି ତିରୁପତି ଓ ବୈଷ୍ଣେଦେବୀ ମନ୍ଦିରର ପରିଚାଳନାକୁ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମକୋର୍ଟ ।

ratna bhnadar

ଅନ୍ୟପଟେ ଜିଲ୍ଲା ରେକର୍ଡ ରୁମରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିବା ପରେ ସନ୍ଦେହ ବଢିଛି । ଟ୍ରେଜେରୀରେ ଚାବି ରହିବା କଥା । କିନ୍ତୁ ଏହା ଜିଲ୍ଲା ରେକର୍ଡ ରୁମକୁ କିଭଳି ଆସିଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଘଟଣାରେ କିଛି ଲୁଚାଇବାକୁ ଉଦ୍ୟମ ହେଉଛି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଗତକାଲି ଭିତର ଭଣ୍ଡାରର ଏକ ଡୁପ୍ଲିକେଟ୍ ଚାବି ମିଳିବା ନେଇ ସୂଚନା ଦେଇଥିଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଜିଲ୍ଲାପାଳ କହଥିଲେ, ଜିଲ୍ଲା ରେକର୍ଡ ରୁମରୁ ଜଉମୁଦିଆ ମାଟିଆ ଲଫାପାରେ ଚାବି ରହିଛି । ଆଉ ଲଫାଫାରେ ରହିଛି ୩ଟି ଜଉମୁଦ । ଜିଲ୍ଲାପାଳଙ୍କ ନିିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାଶଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ଦୁଇଟି ଟିମ୍ । ଏହି ଟିମ ଜିଲ୍ଲା ରେକର୍ଡ ରୁମ, ନାଜିର ଖାନା ଓ ଟ୍ରେଜେରୀକୁ ତନ୍ନ ତନ୍ନ କରି ଯାଂଚ କରିଥିଲେ ।

ଶେଷରେ ରେକର୍ଡ ରୁମର ଏକ ଆଲମାରିରେ ରହିଯାଇଥିଲା ଏହି ଭିତର ରତ୍ନଭଣ୍ଡାରର ଚାବି ଥିବା ଲଫାପା । ଚାବି ପ୍ରସଙ୍ଗକୁ ନେଇ ଏପ୍ରିଲ ୨ ତାରିଖରେ ଜିଲ୍ଲାପାଳ ଚାବିନଥିବା ଜାଣିବାକୁ ପାଇଥିଲେ । ଏହାପରେ ମେ ୨୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଉଥରେ ଚାବି ଖୋଜିବା ପାଇଁ ଚିଠି କରାଯାଇଥିଲା । ତେଣୁ ଏହାକୁ ନେଇ ଜିଲ୍ଲାପାଳ ସ୍ୱତନ୍ତ୍ର ଟିମ୍ ଲଗାଇ ଚାବି ଖୋଜିଥିଲେ । ତେବେ ମାଟିଆ ଲଫାପାରେ ଜଉମୁଦ ଦିଆଯାଇଥିବାବେଳେ ସେଥିରେ ଡୁପ୍ଲିକେଟ କି ଅଫ ଭିତର ରତ୍ନଭଣ୍ଡାର ଆଣ୍ଡ ଜୁଏଲାରୀଜ ବୋଲି ଉଲ୍ଲେଖ ରହିଛି ।

ରତ୍ନଭଣ୍ଡାର ଚାବି ମିଳିବା ପ୍ରସଙ୍ଗରେ ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ରେକର୍ଡ ରୁମରୁ ଚାବି ମିଳିଛି । ଏଥିରେ ୮୫ ମସିହାରେ ରତ୍ନଭଣ୍ଡାର ଖୋଲା ଯାଇଥିବା ଲେଖାଯାଇଛି । ନ୍ୟାୟିକ ତଦନ୍ତ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି । ଏହି ଘଟଣାରେ ଖୁବଶୀଘ୍ର ତଦନ୍ତ ଆରମ୍ଭ କରି ୩ମାସରେ ରିପୋର୍ଟ ଦେବେ କମିଶନ । ଫଳରେ ଚାବି ହଜିବା ନେଇ ଥିବା ସମସ୍ତ ଦ୍ୱନ୍ଦ୍ୱ ଦୂର ହେବ ।

ଶ୍ରୀମନ୍ଦିର ଋତ୍ନଭଣ୍ଡାରର ଡୁପ୍ଲିକେଟ ଚାବି ମିଳିବା ଘଟଣାରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଜିଲ୍ଲାପାଳଙ୍କ ଉପରେ ବର୍ଷିଛନ୍ତି । ତେବେ କେଉଁ ଅବସ୍ଥାରେ ସେ ଚାବି ପାଇଲେ ଏବଂ ପୂର୍ବରୁ କେଉଁଠି ଖୋଜୁଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଜୟ । ସେ କହିଛନ୍ତି ଯେ ଟ୍ରେଜେରୀରେ ଚାବି ରହିବାର ନିୟମ ରହିଛି । ଏହା ରେକର୍ଡ ରୁମକୁ ଗଲା କିପରି । ଜିଲ୍ଲାପାଳ କାହିଁକି ଘଟଣାର ତଦନ୍ତ କଲେ ନାହିଁ ବୋଲି ବିଜୟ ପ୍ରଶ୍ନ ପଚାରିଛନ୍ତି । ପ୍ରଥମେ ଜିଲ୍ଲାପାଳ କହିଥିଲେ ଚାବି ହଜିଗଲା ଆଉ ଏବେ କହୁଛନ୍ତି ଚାବି ମିଳିଗଲା । ଏପରି କହି ସେ ସ୍ଥିତିକୁ ଜଟିଳ କରିବା ସହ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ବୋଲି ବିଜୟ କହିଛନ୍ତି । କମିଶନ ପ୍ରଥମେ ତାଙ୍କୁ ଜେରା କରିବା ଦରକାର । ଏଥିସହ ତାଙ୍କୁ ଶ୍ରୀମନ୍ଦିର ଦାୟିତ୍ୱରୁ ପ୍ରଥମେ କଢାଯିବା ଦରକାର । ମନ୍ଦିର ଚାବି ବଜାରରେ ମିଳେନାହିଁ । ଏହାକୁ ସ୍ୱତନ୍ତ୍ର ଭାବେ କମ୍ଭାରଶାଳରେ ତିଆରି କରାଯାଏ । ଯଦି ଗୋଟିଏ ମିଳିଲା ଅନ୍ୟଟି କୁଆଡେ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଟ୍ରେଜେରୀରେ ଚାବି ରହିବା କଥା । କିନ୍ତୁ ଏହା ଜିଲ୍ଲା ରେକର୍ଡ ରୁମକୁ କିଭଳି ଆସିଲା ବୋଲି ଅନେକ ପ୍ରଶ୍ନ କରିଛନ୍ତି । ଘଟଣାରେ କିଛି ଲୁଚାଇବାକୁ ଉଦ୍ୟମ ହେଉଛି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି ।