ରାମାୟଣ ପ୍ରବଚନ ଚାଲୁଥିବା ବେଳେ ଭୁଷୁଡିଲା ପେଣ୍ଡାଲ । ଛିଡିଗଲା ବିଦ୍ୟୁତ ତାର, ଲିଭିଗଲା ୧୪ ଜଣଙ୍କର ଜୀବନ ଦୀପ । । ଯାଞ୍ଚ ନିର୍ଦ୍ଦେଶ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ।

206

ରାଜସ୍ଥାନର ବାଡ଼ମେରରେ ରାମାୟଣ ପ୍ରବଚନ ଚାଲୁଥିବା ବେଳେ ଏକ ବଡ ଟେଣ୍ଟ ଭୁଷୁଡି ପଡ଼ିବାରୁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ୪୫ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ସେତେବେଳେ ହୋଇଛି ଯେତେବେଳେ ପେଣ୍ଡାଲ ତଳେ ଶହ ଶହ ଲୋକ ରହିଥିଲେ । ଆଉ ପେଣ୍ଡାଲ ଭୁଷୁଡି ଲୋକଙ୍କ ଉପରେ ପଡିବା କାରଣରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆହତ ବ୍ୟକ୍ତି ମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ରବିବାର ଅପରାହ୍ନରେ ରାଜସ୍ଥାନର ବାଡ଼ମେର ଅଞ୍ଚଳରେ ଭୟଙ୍କର କାଳବୈଶଖୀ ହୋଇଥିଲା । ଯାହାର ପ୍ରଭାବରେ ଅଚାନକ ଭୀଷଣ ପବନ ବହିବା ସହ ବର୍ଷା ହୋଇଥିଲା । ଆଉ ଏହି ସମୟରେ ରାମାୟଣ ପ୍ରବଚନ ଚାଲୁଥିବା ବେଳେ ହଠାତ୍ ଟେଣ୍ଟ ସହ ପେଣ୍ଡାଲ ଭୁଷୁଡି ପଡିଥିଲା । ଆଉ ଘଟଣାସ୍ଥଳରେ ବିଦ୍ୟୁତ ତାର ଛିଣ୍ଡିବାରୁ ସଟସର୍କିଟ ହୋଇଥିଲା । ଯେଉଁ କାରଣରୁ କିଛି ଲୋକ କରେଣ୍ଟ ଆଘାତରେ ମୃତ୍ୟୁବରଣ କରିଥିବା ବେଳେ କିଛି ଲୋକ ପେଣ୍ଡାଲ ତଳେ ଚାପି ହୋଇ ପ୍ରାଣ ହରାଇଥିଲେ ।

ଏଭଳି ମର୍ମନ୍ତୁଦ ଘଟଣା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦୁଃଖ ପ୍ରକାଶ କରିଛନ୍ତି । ଏପରିକି ଏହି ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗେହଲଟ୍ । ଏହାଛଡା ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କୁ ପରିବାରବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସେହିଭଳି ଆହତଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ଗେହଲଟ୍ ।