ପ୍ରଧାନମନ୍ତ୍ରୀଙ୍କ ସଭାରେ ବଡ ଅଘଟଣ । ଭୁୁଷୁଡିଲା ଟେଣ୍ଟ, ଆହତ ହେଲେ ୨୪ ଜଣ ଚାଷୀ । ହସ୍ପିଟାଲରେ ପହଞ୍ଚି ଆହତ ଚାଷୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିଲେ ମୋଦି

55

ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳରେ ବଡ ଧରଣର ଅଘଟଣ । ପଶ୍ଚିମବଙ୍ଗର ମିଦନାପୁର ଠାରେ ମୋଦିଙ୍କ ସଭା ଚାଲୁଥିବା ବେଳେ ବଡ ଧରଣର ଅଘଟଣ ଘଙ୍କିଛି । ମୋଦି ଭାଷଣ ଦେଉଥିବା ସମୟରେ ସଭାମଞ୍ଚର ଟେଣ୍ଟର ଏକ ବଡ଼ ଅଂଶ ଭାଙ୍ଗି ପଡ଼ିବା ହେତୁ ୨୦ରୁ ଅଧିକ ଜଣ ଆହତ ହୋଇଥିବା ଖବର ମିଳିଛି। ମିଦନାପୁରରେ ଆୟୋଜିତ କିଷନ୍ କଲ୍ୟାଣ ରାଲିରେ ପ୍ରଧାନମନ୍ତ୍ରୀ ଭାଷଣ ଦେଉଥିବା ବେଳେ ହଠାତ ଟେଣ୍ଟ ଭାଙ୍ଗି ପଡ଼ିଥିଲା। ମୋଦି ସଙ୍ଗେସଙ୍ଗେ ଭାଷଣ ବନ୍ଦ କରି ତାଙ୍କର ସୁରକ୍ଷାରେ ନିୟୋଜିତ ଥିବା ଏସପିଜି କର୍ମୀଙ୍କୁ ଘଟଣାସ୍ଥଳକୁ ଯାଇ ଆହତମାନଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ଆହତମାନଙ୍କୁ ଭେଟିବାକୁ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ।

ଆହତ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କର ହାତ ଓ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି । ତେବେ ମେଡିକାଲ ଯାଞ୍ଚ ପରେ ଆହତଙ୍କ ଅବସ୍ଥା କିପରି ରହିଛି ତାହା ଜଣାପଡିବ । ତେବେ ଭାଷଣ ସମୟରେ ପ୍ରଧାନମନ୍ତ୍ରୀ କିଛି ଲୋକଙ୍କୁ ପେଣ୍ଡାଲ ଉପରକୁ ଚଢିବାକୁ ବାରଣ କରିଥିଲେ ମଧ୍ୟ ଏହାକୁ କେହି କର୍ଣ୍ଣପାତ କରି ନଥିଲେ । ଫଳରେ ଏତେବଡ ଅଘଟଣ ଦେଖାଦେଲା । ଟେଣ୍ଟ ଭାଙ୍ଗିବା କ୍ଷଣି ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ତେବେ ଆହତ ହୋଇଥିବା ବ୍ୟକ୍ତି ମାନଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପ୍ରଶ୍ନ ଉଠୁଛି,ରାଲିରେ ହଜାର ହଜାର ସଂଖ୍ୟାରେ ଲୋକମାନେ ଏକାଠି ହୋଇଥିଲେ ମଧ୍ୟ ଏଭଳି ଅବ୍ୟବସ୍ଥା କିପରି ସୃଷ୍ଟି ହେଲା ତାହା ଏବେ ବଡ ପ୍ରଶ୍ନବାଚୀ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ମମତାଙ୍କୁ କଡ଼ା ସମାଲୋଚନା କରିବାକୁ ପଛାଇ ନଥିଲେ ମୋଦି। ସେ କୃଷ୍ଣଙ୍କ ରାଲିରେ ଭାଷଣ ଦେଇ କହିଥିଲେ ଯେ ପଶ୍ଚିମବଙ୍ଗରେ ‘ରାଜନୈତିକ ସିଣ୍ଡିକେଟ’ ସବୁ ପ୍ରକାର ନିଷ୍ପତ୍ତ ନେଉଥିବା ଯୋଗୁଁ ବିକାଶ ହୋଇପାରୁ ନାହିଁ। ଏକ ବିରାଟ ଇତିହାସ ଥିବା ପଶ୍ଚିମବଙ୍ଗ ଏହି ସିଣ୍ଡିକେଟ ରାଜ ଯୋଗୁଁ ଅଗ୍ରଗତି କରିପାରୁ ନାହିଁ। ଚାଷୀମାନଙ୍କ ଫସଲ ବିକ୍ରିଠାରୁ ଆରମ୍ଭ କରି କଲେଜରେ ନାମ ଲେଖା ବ୍ୟବସାୟିକ କାରବାର ସବୁ କ୍ଷେତ୍ରରେ ‘ସିଣ୍ଡିକେଟ୍’ ନିଷ୍ପତ୍ତି କରୁଛି। ତ୍ରିପୁରାରେ ଯେମିତି ଲୋକେ ସରକାର ବଦଳାଇ ଦେଲେ ଠିକ୍ ସେମିତି ପଶ୍ଚିମବଙ୍ଗରେ ଲୋକେ ସରକାର ବଦଳାଇ ବିକାଶ ଆଣନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଆହ୍ଵାନ୍ କରିଥିଲେ।