ବିଜେପି ନେତା ଗୋଲକ ମହାପାତ୍ରଙ୍କ ବଢିଲା ଅଡୁଆ ! ଆଜି ଛତ୍ରପୁର ଥାନାରେ ହାଜର ହୋଇପାରନ୍ତି

24

କନକ ବ୍ୟୁରୋ : ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପାଇଁ ବଢିଲା ଅଡୁଆ । ଆଜି ଥାନାରେ ହାଜର ହୋଇପାରନ୍ତି ଗୋଲକ ମହାପାତ୍ର । ଦିନ ୧୨ଟା ସୁଦ୍ଧା ଗୋଲକ ଥାନାରେ ହାଜର ହୋଇପାରନ୍ତି ବୋଲି ଜଣାପଡିଛି । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ମୁଖ୍ୟ ଷଡଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ନାୟକ ଗୋଲକଙ୍କ ନାଁ ନେବାପରେ ଏହି ପୋଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲା । ଛତ୍ରପୁର ପୋଲିସ ଗୋଲକଙ୍କୁ ପଚରାଉଚରା କରିପାରେ।

ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟାକାଣ୍ଡରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ସଂପୃକ୍ତିକୁ ନେଇ ବିଜେପି – ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି । ଗତାକଲି ଏହି ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ, ଗୋଲକ ମହାପାତ୍ରଙ୍କୁ ଟାର୍ଗେଟ କରିବା ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ବର୍ଷିଥିଲେ । ଅମିତ ଜଣେ ଗୁଣ୍ଡାଶ୍ରେଣୀର ଲୋକ ତାଙ୍କ ଠାରୁ ଅଧିକ କଣ ଆଶା କରାଯାଇପାରିବ ବୋଲି କହି କଡା ସମାଲୋଚନା କରିଛନ୍ତି । କାଉନସିଲର ହତ୍ୟା ଘଟଣାରେ ବିଜେପି , ବିଜେଡି ଉପରେ ଦୋଷ ଲଦିବାକୁ ଉଦ୍ୟମ କରିଥିଲା । ବିଜେପିର ଏହି ଉଦ୍ୟମ ଫସର ଫାଟିଲା ବୋଲି କହି ଦେବାଶିଷ ବିଜେପିକୁ ସମାଲୋଚନା କରି ଥିଲେ । ସେହିଭଳି ଦଳ ଠାରୁ ଅଧିକ କଣ ଆଶା କରାଯାଇପାରେ ବୋଲି ଦେବାଶିଷ କହିଥିଲେ । ତଦନ୍ତ ବେଳେ କେବଳ ଗୋଲକ ନୁହନ୍ତି ଅନ୍ୟ ନେତାଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଦେବାଶିଷ ।

ଗତ ୧୬ ତାରିଖରେ ଲକ୍ଷ୍ମୀଦତ୍ତ କିଛି ସମର୍ଥକଙ୍କ ଗହଣରେ ନିଜ ଘର ଆଗରେ ବସିଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସଂଘବଦ୍ଧଭାବେ ଖଣ୍ଡ ଓ ଅନ୍ୟାନ୍ୟ ମାରଣାସ୍ତ୍ରରେ ଲକ୍ଷ୍ମୀଙ୍କୁ ଆକ୍ରମଣ କରିଥିଲେ। ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ମଧ୍ୟ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ଆହତ ହୋଇଥିଲେ। ପରିବାର ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ।