ବିଜେପି ପାଇଁ ବଢିଲା ଅଡ଼ୁଆ ! ରାଷ୍ଟ୍ରପତିଙ୍କ ମୁହଁରେ ଟିପୁଙ୍କ ପ୍ରଶଂସା
କିଛିଦିନ ପୂର୍ବରୁ ଟିପୁ ସୁଲତାନଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ କେନ୍ଦ୍ର ମନ୍ତ୍ରୀ ଅନ୍ତ କୁମାର ହେଗେଡ । ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୁହଁରେ ଟିପୁ ସୁଲତାନଙ୍କ ପ୍ରଶଂସା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଟିପୁ ସୁଲତାନଙ୍କୁ ଜଣେ ମହାନ ଯୋଦ୍ଧା ଏବଂ ଇଂରେଜ ସରକାର ବିରୋଧରେ ଅପୂର୍ବ ବୀରତ୍ୱର ସହ ଲଢ଼ି ଜୀବନ ଦେଇଥିବା ସହିଦ ବୋଲି କହିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କର୍ଣ୍ଣାଟକରେ ଟିପୁ ସୁଲତାନ ଜନ୍ମ ବାର୍ଷିକୀ ଉତ୍ସବ ପାଳନକୁ ନେଇ ଶାସକ ଏବଂ ବିରୋଧ ଦଳ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ରାଷ୍ଟ୍ରପତିଙ୍କ ଏଭଳି ଉଦବୋଧନ ବିଜେପି ପାଇଁ ଅଡ଼ୁଆ ସୃଷ୍ଟି କରିଛି । କର୍ଣ୍ଣାଟକ ବିଧାନସଭାର ୬୦ ବର୍ଷ ପୂର୍ତ୍ତି ଉତ୍ସବରେ ମିଳିତ ଅଧିବେଶନକୁ ଉଦବୋଧନ ଦେଇ ରାଷ୍ଟ୍ରପତି କହିଥିଲେ ଯେ ମହିଶୁରର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନ ବ୍ରିଟିଶ ଶାସନ ବିରୋଧରେ ଲଢ଼ିଥିବା କର୍ଣ୍ଣାଟକ ଯୋଦ୍ଧାଙ୍କ ମଧ୍ୟରୁ ଜଣେ ଏବଂ ଅପୂର୍ବ ବୀରତ୍ୱର ସହ ଲଢ଼ି ସେ ମୃତ୍ୟୁ ପ୍ରାପ୍ତ ହୋଇଥିଲେ। କର୍ଣ୍ଣାଟକରେ ଶାସକ କଂଗ୍ରେସ ଦଳ ଦ୍ୱାରା କଂଗ୍ରେସ ଟିପୁ ସୁଲତାନଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳନ କରିବା ନିଷ୍ପତ୍ତିକୁ ବିଜେପି ଦୃଢ଼ ବିରୋଧ କରିଆସୁଛି ଏବଂ ଟିପୁ ସୁଲତାନ ଜଣେ ଅତ୍ୟନ୍ତ ନିଷ୍ଠୁର ଓ ଅତ୍ୟାଚାରୀ ବ୍ୟକ୍ତି ଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗେଡେ ଦୁଇଦିନ ତଳେ ବୟାନ ଦେଇଥିଲେ। ଆଜି ରାଷ୍ଟ୍ରପତି କୋବିନ୍ଦଙ୍କ ଏହି ବୟାନ ଟିପୁ ବିବାଦକୁ ଭିନ୍ନ ମୋଡ଼ ଦେଇଛି। କୋବିନ୍ଦ କହିଛନ୍ତି ଯେ ଯୁଦ୍ଧକ୍ଷେତ୍ରରେ ମହିଶୁର ରକେଟର ବିକାଶ ଏବଂ ବ୍ୟବହାର କ୍ଷେତ୍ରରେ ଟିପୁ ଅଗ୍ରଣୀ ଥିଲେ ଏବଂ ଏହି ଜ୍ଞାନକୌଶଳକୁ ପରେ ୟୁରୋପୀୟମାନେ ଆପଣାଇଥିଲେ।
ଅନ୍ୟ ପକ୍ଷରେ ବିରୋଧୀ ବିଜେପି ଟିପୁଙ୍କ ଜନ୍ମ ବାର୍ଷିକୀ ଉତ୍ସବକୁ ବିରୋଧ କରି ଧମକ ଦେଇଛି ଯେ ଯଦି ରାଜ୍ୟ ସରକାର ଟିପୁଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳନ ବାତିଲ ନ କରନ୍ତି ତେବେ ନଭେମ୍ବର ୧୦ ତାରିଖରେ ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ। ଅତୀତରେ ଅନେକ ବିଜେପି ନେତା ଟିପୁ ଜୟନ୍ତୀ ଉତ୍ସବରେ ଅଂଶଗ୍ରହଣ କରିଥିବାରୁ ବର୍ତ୍ତମାନର ବିରୋଧ କେବଳ ଲୋକଦେଖାଣିଆ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମେୟା କହିଛନ୍ତି। ଯେଉଁମାନେ ଏହାର ବିରୋଧ କରୁଛନ୍ତି ସେମାନେ ସମ୍ବିଧାନକୁ ବୁଝନ୍ତି ନାହିଁ ବୋଲି ସେ କହିଛନ୍ତି। ଆଗକୁ ନିର୍ବାଚନ ଥିବାରୁ ବିଜେପି ଏହି ପ୍ରସଙ୍ଗକୁ ରାଜନନୈତିକ ମୋଡ଼ ଦେବାକୁ ଚେଷ୍ଟା କରୁଥିବା ସିଦ୍ଦରମେୟା କହିଛନ୍ତି।