ଖଣ୍ଡଗିରିରେ ଟଙ୍କା ଦେବାକୁ ବିରୋଧ କରିବାରୁ ଯୁବକଙ୍କ ଉପରେ କିନ୍ନରଙ୍କ ସଂଘବଦ୍ଧ ଆକ୍ରମଣ: କିନ୍ନରଙ୍କ ସ୍କୁଟିରେ ନିଆଁ ଲଗାଇଦେଲେ ଉତ୍ୟକ୍ତ ଲୋକେ

29

କନକ ବ୍ୟୁରୋ: ଯୁବକଙ୍କ ଉପରେ କିନ୍ନରଙ୍କ ସଂଘବଦ୍ଧ ଆକ୍ରମଣ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଛକରେ ।  ଅଭିଯୋଗ ଅନୁସାରେ, ଜଣେ ଯୁବକଙ୍କ ଠାରୁ କିଛି କିନ୍ନର ଜୋର ଜବରଦସ୍ତ ଟଙ୍କା ଛଡାଇ ନେବାରୁ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ପରବର୍ତୀ ସମୟରେ ଉଗ୍ରରୂପ ନେଇଥିଲା । ସଂଘବଦ୍ଧ ହୋଇ କିନ୍ନରମାନେ ଯୁବକଙ୍କୁ ମାରପିଟ୍ କରିଥିଲେ ।

ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିବା ବେଳେ କିନ୍ନରଙ୍କ ଗୋଟିଏ ସ୍କୁଟିରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ଆହତ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନରେ ଭର୍ତି କରାଯାଇଛି । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏହି ଘଟଣାରେ ୪ କିନ୍ନରଙ୍କୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ ।

ସୂଚନାଯୋଗ୍ୟ କିଛି ମାସ ତଳେ ଖଣ୍ଡଗିରି ଅଞ୍ଚଳରେ କିନ୍ନରମାନେ ଜଣେ ସାଧୁଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏ ନେଇ ଖଣ୍ଡଗିରି ଥାନରେ ସାଧୁ ଜଣକ ଅଭିଯୋଗ କରିଥିଲେ। ଖଣ୍ଡଗିରି ଅଞ୍ଚଳରେ କିନ୍ନରଙ୍କ ଉତ୍ପାତ ଦିନକୁ ଦିନ ବଢୁଥିବାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।