ସ୍ୱାସ୍ଥ୍ୟ ବୀମା ପାଇଁ ଆସନ୍ତା ସପ୍ତାହରୁ ରାଜ୍ୟ ସହ ଆଲୋଚନା

21

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଗତ ଗୁରୁବାର ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆଗତ କରିଥିବା ବଜେଟ୍‌ରେ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ସ୍କିମ୍‌ ନାମରେ ଏକ ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ଦେଶର ୧୦ କୋଟି ଗରିବ ପରିବାରକୁ ମାଗଣାରେ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ବୀମା ସୁବିଧା ଏହି ଯୋଜନାରେ ମିଳିବ। ନିତି ଆୟୋଗ ଏହି ଯୋଜନାକୁ ଆସନ୍ତା ଅଗଷ୍ଟ ୧୫ କିମ୍ବା ଅତିବେଶୀରେ ଅକ୍ଟୋବର ୨ (ଗାନ୍ଧୀ ଜୟନ୍ତୀ)ରୁ ଆରମ୍ଭ କରିବାକୁ ଯୋଜନା ଚଳାଇଛି। ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡ. ଭି. କେ. ପଲ୍‌ଙ୍କ କହିବାନୁଯାୟୀ ଏଥିପାଇଁ ଆମେ ପ୍ରସ୍ତୁତ ଅଛୁ। ଦୀର୍ଘଦିନ ହେଲା ଏ ନେଇ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଆନୁଷ୍ଠାନିକ ଭାବେ ଏହି ଯୋଜନା ଚଳିତ ବର୍ଷ ଆରମ୍ଭ ହେଲେ ମଧ୍ୟ ଦେଶରେ ପୁରାମାତ୍ରାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରାୟ ଦେଢ଼ ବର୍ଷ ସମୟ ଲାଗିଯାଇପାରେ। ତେବେ ଏହି ଯୋଜନା ପାଇଁ ଆସନ୍ତା ସପ୍ତାହରୁ ରାଜ୍ୟ ଗୁଡ଼ିକ ସହିତ ଆଲୋଚନା ଆରମ୍ଭ ହେବ। ଏତଦ୍‌ବ୍ୟତୀତ ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟ କରାଯାଇ ଜୁଲାଇ ସୁଦ୍ଧା ଏଥିପାଇଁ ଟେଣ୍ଡର ଡକାଯିବା ନେଇ ଆପାତତଃ ସ୍ଥିର ହୋଇଛି।

ପ୍ରଥମ ବର୍ଷ ୫୦ ପ୍ରତିଶତ ହିତାଧିକାରୀଙ୍କୁ ଏହି ସୁବିଧା ପରିସରକୁ ଆଣିବା ଲାଗି ଉଦ୍ୟମ କରାଯିବ। ୫୦ ପ୍ରତିଶତଙ୍କ ପାଇଁ ପ୍ରାୟ ୫୦୦୦ରୁ ୬୦୦୦ କୋଟି ଟଙ୍କା ବ୍ୟୟ ହେବ। ବଜେଟ୍‌ରେ ଏଥିପାଇଁ ୨୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ଆଗାମୀ ଦିନରେ ଏଥିପାଇଁ ଅଧିକ ଅର୍ଥ ଯୋଗାଇ ଦିଆଯିବା ଯୋଜନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ ସୁଦ୍ଧା ଉକ୍ତ ସ୍କିମ୍‌କୁ କ୍ୟାବିନେଟ୍‌ ମଞ୍ଜୁରି ମିଳିବ। ସେହିଭଳି ମାର୍ଚ ସୁଦ୍ଧା ଏହି ସ୍କିମ୍‌ ସହିତ ଜଡ଼ିତ ବିଭିନ୍ନ ବ୍ୟକ୍ତିଙ୍କ ସହିତ ବିଚାରବିମର୍ଶ କରାଯିବ। ଏପ୍ରିଲରେ ଏହି ଯୋଜନାର ତଥ୍ୟ ପ୍ରସ୍ତୁତି ହେବ। ଜୁନ୍‌ ସୁଦ୍ଧା ଆଇଟି ସିଷ୍ଟମ୍‌ ପ୍ରସ୍ତୁତି କରାଯିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ଅଭିଯାନ ଆରମ୍ଭ ହେବ। ଜୁଲାଇ ସୁଦ୍ଧା ରାଜ୍ୟଗୁଡ଼ିକ ସେମାନଙ୍କ ପ୍ରସ୍ତୁତି ଚୂଡ଼ାନ୍ତ କରିବେ ଏବଂ ସେହିମାସରେ ହିଁ ଏଥିପାଇଁ ଟେଣ୍ଡର ଡକାଯିବ।