ପୁଣି ଆସିଲା ଟେଣ୍ଡର ଫିକ୍ସିଂ ଅଭିଯୋଗ ! କେନ୍ଦ୍ରାପଡାରେ ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କୁୁ ଟିଟୋ ଗ୍ୟାଙ୍ଗର ସଦସ୍ୟ କଲେ ଫୋନ୍, ଟେଣ୍ଡର ଛାଡିବାକୁ ଧମକ

57

କନକ ବ୍ୟୁରୋ : ଓଡିଶାରେ ପୁଣି ଟେଣ୍ଡର ଫିକ୍ସିଂ ଅଭିଯୋଗ । ଆଉ ଏହା ପଛରେ ଟିଟୋ ଗ୍ୟାଙ୍ଗର ହାତ ଥିବା କଥା ଧୀରେ ଧୀରେ ପଦାକୁ ଆସୁଛି । କଟକ ଡିସିପି ମଧ୍ୟ କହିଥିଲେ, ଡି-ବ୍ରଦର୍ସ ଜେଲ୍ ଯିବା ପରେ ଟିଟୋ ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଉଠିଛି । ଏହି ସନ୍ଦେହ ସତ ପ୍ରମାଣିତ ହୋଇଛି । କନକ ନ୍ୟୁଜ୍ ହାତରେ ଏକ ଅଡିଓ ଟେପ୍ ଲାଗିଛି । ଯେଉଁଥିରେ ଟିଟୋ ଗ୍ୟାଙ୍ଗର ସନ୍ଦିଗ୍ଧ ସଦସ୍ୟ , ଟେଣ୍ଡର ପାଇଥିବା ଜଣେ ବ୍ୟକ୍ତିଙ୍କୁ ଧମକ ଚମକ ଦେଉଛନ୍ତି । ଟେଣ୍ଡର ଛାଡିଦେବା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି । ସେପଟେ କେନ୍ଦ୍ରାପଡା ଏସପିି କହିଛନ୍ତି , ପୁଲିସ ନିଜଆଡୁ ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି ।

ଟେଣ୍ଡର ପକାଇଥିବା ଜଣେ ବ୍ୟକ୍ତିଙ୍କୁ ଟିଟୋ ଗ୍ୟାଙ୍ଗ ଧମକର ଏକ୍ସକ୍ଲୁସିଭ ଅଡିଓ ଟେପ୍ । କେନ୍ଦ୍ରାପଡାରେ ସରକାରୀ କାମପାଇଁ ଟେଣ୍ଡର ପକାଇଥିବା ଜଣେ ବୁଢା ଲୋକଙ୍କୁ କଟକରୁ ଭାଇ ନାଁରେ ଧମକପୂର୍ଣ୍ଣ ଫୋନକଲ । ଅଭିଯୋଗ ଅନୁସାରେ ଭାଇ ଅର୍ଥାତ ଦୁର୍ଦ୍ଦାନ୍ତ ଅପରାଧୀ ଟିଟୋର ଲୋକମାନେ ଦେଉଛନ୍ତି ଧମକଚମକ । କାହିଁକି ଭାଇର ବିନା ଅନୁମତିରେ ଟେଣ୍ଡର ପକାଇଲେ ବୋଲି ଫୋନରେ ପଚରା ଯାଉଛି ପ୍ରଶ୍ନ ।

କେନ୍ଦ୍ରାପଡା ଜିଲ୍ଲାରେ ପ୍ରାୟ ୮ଟି ଡ୍ରେନେଜ କାମ ପାଇଁ ସରକାରୀ ଭାବେ ବାହାରିଥିଲା ଟେଣ୍ଡର । ଆଉ ଏ-କ୍ଲାସ କଂଟ୍ରାକ୍ଟର ଶୁଭେନ୍ଦୁ ମହାନ୍ତିଙ୍କ ନାଁରେ ତିନିଟି କାମ ପାଇଛନ୍ତି ବୁଢା ଲେଙ୍କା ନାମକ ଜଣେ ବ୍ୟକ୍ତି । ହେଲେ କାମ ପାଇବା ପରଠାରୁ ଆସିବାରେ ଲାଗିଛି ଧମକପୂର୍ଣ୍ଣ ଫୋନ୍ । କଥା କେବଳ ଫୋନ କଲରେ ସୀମିତ ନାହିଁ । ଧମକ ଦେଉଥିବା ଗ୍ୟାଙ୍ଗର ଲୋକେ ବୁଢା ଲେଙ୍କାଙ୍କ ଘରେ ପହଂଚି ତାଙ୍କ ବାବଦରେ ପଚରା ଉଚରା କରିବା ସହ ଭାଇ ଡାକିଛନ୍ତି, କେନ୍ଦ୍ରାପଡାରେ ତାଙ୍କୁ ଦେଖା କରିବା ପାଇଁ ଆସିବାକୁ ବି କହିଛନ୍ତି ।

କିଛିଦିନ ତଳେ କଟକରେ ଟେଣ୍ଡର ଫିକ୍ସିଂକୁ ନେଇ ଗୁଳିକାଣ୍ଡ ଘଟଣାରେ ଟିଟୋ ଗ୍ୟାଙ୍ଗର ସଂପୃକ୍ତି ରହିଥିବା କହିଥିଲେ ଡିସିପି । ଏପରିକି ଡି-ବ୍ରଦର୍ସ ଗ୍ୟାଙ୍ଗର ପତନ ପରେ ଟେଣ୍ଡର ଫିକ୍ସିଂରେ ଟିଟୋ ଗ୍ୟାଙ୍ଗ ପୁଣି ସକ୍ରିୟ ହେଉଥିବା ସୂଚନା ଦେଇଥିଲେ । ଫିଲ୍ମ ଷ୍ଟାଇଲରେ ସରକାରୀ କାମରେ ଟେଣ୍ଡର ଫିକ୍ସ କରୁଛନ୍ତି ଅପରାଧୀ ଗ୍ୟାଙ୍ଗ । ଏଭଳି ଧମକପୂର୍ଣ୍ଣ ଅଡିଓ ଟେପ ସାମ୍ନାକୁ ଆସିବା ପରେ ପୁରା ଘଟଣା ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।