ଟେଣ୍ଡର୍ ପାଇଁ ମହାଭାରତ! ଜଳସଂପଦ ବିଭାଗର ବେଆଇନ ଟେଣ୍ଡର କାରବାରକୁ ନେଇ ତାତିଛି ଟିଟିଲାଗଡ

47

କନକ ବ୍ୟୁରୋ : ବେଆଇନ୍ ଟେଣ୍ଡର୍ କାରବାରକୁ ନେଇ ତାତିଛି ଟିଟିଲାଗଡ । ଠେଙ୍ଗା ଧରି ଦିନ ଦ୍ୱିପ୍ରହରେ ବଜାର ଉପରେ ଆତଙ୍କରାଜ କରିବା ସହ ଭଙ୍ଗାରୁଜ୍ଜା କରିଛନ୍ତି ଯୁବକ । ସ୍ଥିତି ନିୟନ୍ତ୍ରଣ କରିବାକୁ ପହଁଚିଥିବା ପୁଲିସ୍ ବି ବଂଚିନି ଆକ୍ରମଣରୁ । ତେବେ ପ୍ରଶ୍ନ ଉଠୁଛି ଇ-ଟେଣ୍ଡର ଯୁଗରେ କେମିତି ଚାଲିଛି ଓପନ୍ ଟେଣ୍ଡର୍ । କିଭଳି ବୁଝାମଣା ଭିତିରେ ଟେଣ୍ଡର ଫିକ୍ସିଂ ଚାଲିଛି, ତାର ନଗ୍ନ ଚିତ୍ର ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଏମଆଇ ଡିଭିଜନ୍ ପକ୍ଷରୁ ୪ଟି ପ୍ରକଳ୍ପ ପାଇଁ ଟେଣ୍ଡର୍ ଡକାଯାଇଥିଲା । ବୁଝାମଣା ଭିତିରେ ଦୁଇ ଗୋଷ୍ଠୀ କାମ ନେବା ପାଇଁ ଟେଣ୍ଡର କରିଥିଲେ । ହେଲେ ଏଥିରେ ତୃତୀୟ ପକ୍ଷ ପ୍ରବେଶ କରିବା ପରେ ବିବାଦ ଆରମ୍ଭ ହୋଇଥିବା କୁହାଯାଉଛି । କିନ୍ତୁ ନିର୍ବାହି ଯନ୍ତ୍ରୀ ଟେଣ୍ଡର କାରବାରକୁ ଅସ୍ୱୀକାର କରିଛନ୍ତି ।

ସବୁଠାରୁ ବଡ କଥା ହେଉଛି ରାଜ୍ୟ ସରକାର ଟେଣ୍ଡର୍ ପ୍ରକ୍ରିୟା ଅନଲାଇନରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତଥାପି ତୃଣମୂଳ ସ୍ତରରେ କେମିତି ମାନୁଆଲ ଟେଣ୍ଡରିଂ ଚାଲିଛି । ପୂର୍ବରୁ ସମାନ ଅଭିଯୋଗ ଝାରସୁଗୁଡା ଜିଲ୍ଲାରୁ ବି ଆସିଥିଲା । ଯେଉଁଠି ଟେଣ୍ଡର୍ ଫିକ୍ସିଂ ଅଭିଯୋଗରେ ବହୁ ଦୁର୍ବୃତ୍ତଙ୍କୁ ଗିରଫ କରିଥିଲା ପୁଲିସ୍ ।