ଟେଣ୍ଡର ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

27

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଣ୍ଡର ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୂର୍ତ ବିଭାଗରେ ବରିଷ୍ଠ ଅଧିକାରୀମାନେ ଏକ ପ୍ରକାର ଟେଣ୍ଡର ଫିକ୍ସିଂରେ ଲିପ୍ତ ଅଛନ୍ତି ବୋଲି ଅଭିଯୋଗ କରିଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ । ମହାସଂଘ ପକ୍ଷରୁ ରବିବାର ଡକାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦର୍ଶାଯାଇଛି ଯେ ମାଲକାନଗିରିର ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ୨୦୧୦ ମସିହାରେ ୪୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୨୦୧୪ରେ ଏହାକୁ ୧୭୩ କୋଟି କରାଗଲା କିଭଳି? ସେହିଭଳି ସ୍ଥାନୀୟ ଠିକାଦାରମାନଙ୍କୁ କାମ ନ ଦେଇ ଏଲଆଣ୍ଡଟିକୁ ୩ଗୁଣା ଦରରେ ୩ଟି ମେଡିକାଲ କଲେଜର ୯୪ଟି ବିଲ୍ଡିଂ କାମ ଦିଆଗଲା କିଭଳି? ସେହିଭଳି ନୂଆ ନଅ ମହଲାକୁ ମଧ୍ୟ ୩ଗୁଣ ଅଧିକ ମୂଲ୍ୟରେ କାମ ଦିଆଯାଇଛି । ଏଥିପାଇଁ ଦାୟୀ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ ଓ କୋଠାବାଡ଼ି ବିଭାଗର ମୁଖ୍ୟଯନ୍ତ୍ରୀ ସତ୍ୟରଂଜନ ସେଠୀଙ୍କୁ ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ତେବେ ଏ ନେଇ ଉପରୋକ୍ତ ଦୁଇ ଅଫିସରଙ୍କ ପ୍ରତିକ୍ରିୟା ମିଳିନାହିଁ ।