ରାଜ୍ୟରେ ଅସମ୍ଭାଳ ତାତି ! ୬ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ଆହୁରି ୪ ରୁ ୫ ଦିନ ରହିବ ତାତିର ପ୍ରଭାବ

ସାରା ରାଜ୍ୟରେ ବଢିଲାଣି ତାତି । ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

281

କନକ ବ୍ୟୁରୋ : ସାରା ରାଜ୍ୟରେ ବଢିଲାଣି ତାତି । ୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ । କେବଳ ଏହି ୬ଟି ସହର ନୁହେଁ । ରାଜ୍ୟର ସମସ୍ତ ସହରରେ ପାରଦ ୧ରୁ ୨ଡିଗ୍ରି ପର‌୍ୟ୍ୟନ୍ତ ବଢ଼ିଛି । କଟକରେ ହଠାତ୍ ପାରଦ ୪ଡିଗ୍ରି ବଢ଼ିଯିବାରୁ ଲୋକ ଗରମରେ ଆଉଟୁପାଉଟୁ ହୋଇଯାଇଛନ୍ତି । ତତଲା ପବନକୁ ନିଆଁ ବର୍ଷା ସାରା ରାଜ୍ୟରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି । ଦିନ ୧୧ଟା ପରେ ଅଗ୍ନି ବର୍ଷା ହେଲା ଭଳି ତାତି ହେଉଥିବାରୁ ଦେହ ହାତ ସିଝି ଯାଉଛି । ମୁହଁ ବି ପୋଡ଼ି ଗଲା ଭଳି ଲାଗୁଛି ।

ଏପଟେ ପାଣିପାଗ ବିଭାଗ କହିଛି ଏମିତି ତାତି ଆହୁରି ୪ରୁ ୫ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ । ଦିନକୁ ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ଖରା ବଢ଼ିବ । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଘରୁ ନବାହାରିଲେ ଭଲ । ଯଦି ବାହାରିବ ପାଖରେ ଛତା ଓ ପାଣି ବୋତଲ ରଖିବ । ନଚେତ୍ ଅଂଶୁଘାତ ହେବା ଏକରକମ ଥୟ । ଗତ କିଛି ଦିନ ହେଲା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ତାତି ହଠାତ୍ ହୁ ହୁ ହୋଇ ବଢ଼ିଛି ।

ଦିନକରେ ପାରଦ ୨ରୁ ୪ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି । ରାଜ୍ୟର ତାପମାତ୍ରା ହାରାହାରି ୨ଡିଗ୍ରି ବଢ଼ିଯାଇଛି । ମାଲକାନଗିରିରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୬ଡିଗ୍ରି ରେକର୍ଡ ହୋଇଛି । ଉପକୂଳରୁ ଆରମ୍ଭ କରି ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ତାତି ଅସମ୍ଭାଳ ଅନୁଭୂତ ହୋଇଛି । ସ୍ଥିତି ଯାହା ଆସନ୍ତା ଦୁଇରୁ ତିନି ଦିନ ଖରାରୁ ନିସ୍ତାର ମିଳିବନି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ ବି କରିସାରିଲାଣି ।