କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହ୍ରାସ ପାଇଲା ତାପମାତ୍ରା ! ଆସନ୍ତା ୧୪ତାରିଖଠାରୁ ପୁଣିଥରେ ବଢ଼ିବ ତାତି

26

କନକ ବ୍ୟୁରୋ : କାଳବୈଶାଖୀ ପ୍ରଭାବରେ ଗତକାଲି ଉପକୂଳ ସମେତ ପଶ୍ଚିମ ଓଡ଼ିଶାରେ ବି ତାତି ହ୍ରାସ ପାଇଛି । ଗତ ଏକ ଦିନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇଥିବାରୁ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ତଳକୁ ଖସି ଆସିଛି । ଆସନ୍ତା ୧୩ ତାରିଖ ଯାଏ ଏଭଳି ପାଗ ଜାରି ରହିବ । ୧୪ ତାରିଖଠାରୁ ପୁଣିଥରେ ତାପମାତ୍ରା ବଢ଼ିବ । କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଟପିବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପ୍ରିଲ ୯ରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଗଜପତି, ରାୟଗଡ଼ା, କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି । ବର୍ଷା ସହ ୫୦ରୁ ୬୦ କି.ମି. ବେଗରେ ପବନ ବୋହିବ। ସ୍ଥାନେ ସ୍ଥାନେ ବଜ୍ରପାତର ବି ଆଶଙ୍କା ରହିଛି ।

୧୦ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶା, ୧୧ ତାରିଖରେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିପାରେ । ୧୨ ଓ ୧୩ ତାରିଖରେ ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରେ କାଳବୈଶାଖୀ ହେବାର ଆଶଙ୍କା ଅଧିକ ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ ୪୨.୬ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହାବ୍ୟତୀତ କୋରାପୁଟ ଓ ବାଲେଶ୍ୱରରେ ୨୬ ମି.ମି., ସୋନପୁରରେ ୧୯ ମି.ମି., ମାଲକାନଗିରିରେ ୧୮ ମି.ମି., ଫୁଲବାଣୀ ଓ କଟକରେ ୧୦ ମି.ମି., ଭୁବନେଶ୍ୱରରେ ୭.୨ ମି.ମି. ବର୍ଷା ହୋଇଛି। ଅନ୍ୟ ସ୍ଥାନରେ ହାଲକା ବର୍ଷା ହୋଇଛି । ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮.୮ ଡିଗ୍ରି ରେକର୍ଡ କରାଯାଇଛି ।