ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ମିଳିବ ସମାନ କାମ ପାଇଁ ସମାନ ଦରମା : ସୁପ୍ରିମକୋର୍ଟଙ୍କ ରାୟ

16,672

କନକ ବ୍ୟୁରୋ : ସମାନ କାମକୁ ସମାନ ଦରମା । ଠିକା ବା କଂଟ୍ରାକ୍ଟ ନାଁରେ ସମାନ କାମ ପାଇଁ ଅଲଗା ଦରମା ଦେଇ ହେବ ନାହିଁ । ଠିକା ଓ ଅସ୍ଥାୟୀ କର୍ମଚାରୀଙ୍କୁ ମିଳିବ ସମାନ କାମ ପାଇଁ ସମାନ ଦରମା । ଏଭଳି ଏକ ରାୟ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ ସୁପ୍ରିମକୋର୍ଟ । ପଂଜାବ ହାଇକୋର୍ଟଙ୍କ ଏକ ରାୟକୁ ଖାରଜ କରି ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏଭଳି ଏକ ରାୟ ଦେଇଛନ୍ତି ।

ନିଯୁକ୍ତିର ସର୍ତ ଅନୁସାରେ ସମାନ କାମ ପାଇଁ ଅଲଗା ଦରମା ମିଳିପାରେ ବୋଲି କେତେକ ମହଲରେ ଯୁକ୍ତି ହେଉଥିବା ବେଳେ ତାହାକୁ ଖାରଜ କରିଦେଇଛନ୍ତି ଦୁଇଜଣିଆ ଖଣ୍ଡପୀଠ । ଖଣ୍ଡପୀଠଙ୍କ ମତରେ ଏକ ମଙ୍ଗଳକାରୀ ରାଷ୍ଟ୍ରରେ ଏଭଳି ବାଛବିଚାର ସମ୍ବିଧାନ, ଆଇନ ବିରୋଧୀ ଓ ଅସମ୍ମାନଜନକ । ୧୯୭୯ରେ ଗୃହୀତ ଆନ୍ତର୍ଜାତିକ ଚୁକ୍ତିକୁ ମଧ୍ୟ ବିରୋଧାଚରଣ କରୁଛି ।

ଓଡ଼ିଶାରେ ପ୍ରାୟ ୪ ଲକ୍ଷ ୩୦ ହଜାର ସ୍ଥାୟୀ କର୍ମଚାରୀ କାମ କରୁଥିବା ବେଳେ ବିଭିନ୍ନ ବିଭାଗରେ ୧ ଲକ୍ଷରୁ ଅଧିକ ଠିକା ବା ଅସ୍ଥାୟୀ କର୍ମଚାରୀ କାମ କରୁଛନ୍ତି । ସମାନକାମ ପାଇଁ ରାଜ୍ୟ ସରକାର ସମାନ ଦରମା ଦେଲେ ଏହାର କିଭଳି ଆର୍ଥିକ ପ୍ରଭାବ ରହିବ ତାହା ଆକଳନ କରାଯାଇନାହିଁ ।