ମେଘ ବୁଡାଇଲା ମନ୍ଦିର ! ଶିବାଳୟରେ ବନ୍ୟାଜଳର ତାଣ୍ଡବ

126

କନକ ବ୍ୟୁରୋ : ମନ୍ଦିର ଭିତରେ ବନ୍ୟାଜଳର ତାଣ୍ଡବ । ବନ୍ୟାପାଣିର ସ୍ରୋତରେ ଉବୁଡୁବୁ ହେଲା ମନ୍ଦିର । ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ନାଳରେ ଜଳସ୍ତର ବଢ଼ିଥିବା ବେଳେ ଭବାନୀପାଟଣା ସହରର ଜଳେଶ୍ୱର ମନ୍ଦିର ଭିତରେ ପଶିଛି ବନ୍ୟାପାଣି । ପାଣି ଏତେ ଜୋରରେ ମାଡ଼ି ଆସିଛି ଯେ, ମନ୍ଦିର ସଂପୂର୍ଣ୍ଣ ବୁଡ଼ିବା ଭଳି ସ୍ଥିତି ସୃଷ୍ଟି ହୋଇଛି । ସହରର କନ୍ଧପଡ଼ା ଅଂଚଳରେ ଥିବା ଜଳେଶ୍ୱର ମନ୍ଦିରକୁ ଅଚାନକ୍ ମାଡ଼ି ଆସିଥିଲା ପାଣି । ଲଗାଣ ବର୍ଷା ଯୋଗୁଁ ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ପିପଲ ନାଳରେ ଧିରେ ଧିରେ ପାଣି ବଢ଼ିବାରେ ଲାଗିଥିଲା । ଆଉ ଦେଖୁ ଦେଖୁ ବନ୍ୟାଜଳର ସ୍ରୋତ ବଢ଼ିବାରୁ ମନ୍ଦିର ବୁଡିବାରେ ଲାଗିଲା ।

ବନ୍ୟାଜଳର ସ୍ରୋତ ବଢୁଥିବାରୁ ଜଳେଶ୍ୱର ବାବାଙ୍କ ମନ୍ଦିର ସଂପୂର୍ଣ୍ଣ ବୁଡି ଯିବାର ଆଶଙ୍କା କରାଯାଉଛି । କଳାହାଣ୍ଡି ଜିଲ୍ଲାରେ ଲଗାଣବର୍ଷା ଯୋଗୁଁ ହାତୀ ନଦୀରେ ବନ୍ୟା ଆସିଥିବା ବେଳେ ଭବାନୀପାଟଣା ସହର ନିକଟରେ ଥିବା ପ୍ରାୟ ସବୁ ନଦୀ ନାଳ ଫୁଲିବାରେ ଲାଗିଛି । ଆଉ ଏଥିରୁ ବାଦ୍ ପଡ଼ିନି ଜଳେଶ୍ୱର ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ପିପଲ ନାଳ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରତିବର୍ଷ ବନ୍ୟା ସମୟରେ ମନ୍ଦିର ନିକଟକୁ ପାଣି ଚାଲି ଆସୁଥିଲେ ବି ଏଭଳି ସ୍ଥିତି ପ୍ରାୟ ଦେଖିବାକୁ ମିଳୁନଥିଲା । କିନ୍ତୁ ଚଳିତବର୍ଷ ବନ୍ୟାରେ ମନ୍ଦିରଟି ସଂପୂର୍ଣ୍ଣ ବୁଡ଼ି ଯିବାର ଆଶଙ୍କା କରାଯାଉଛି ।