ବସ୍ ଚଳାଇବା ସମୟରେ ଚେତା ହରାଇଲେ ଡ୍ରାଇଭର ! ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବସ୍, ୧୩ ଯାତ୍ରୀ ଆହତ

317

କନକ ବ୍ୟୁରୋ : ଚଳନ୍ତା ବସ୍‌ରେ ଚେତା ହରାଇଲେ ଡ୍ରାଇଭର । ହଠାତ ଷ୍ଟିୟରିଂ ଉପରେ ମୁଣ୍ଡ ଝୁଙ୍କାଇ ପଡ଼ିଗଲେ। ଗାଡ଼ିରେ ଥିଲେ ପ୍ରାୟ ୪୦ରୁ ଅଧିକ ଯାତ୍ରୀ । ଆଗକୁ ରାସ୍ତା ବୁଲାଣି ଥିଲା । ଆଗ ସିଟ୍‌ରେ ଥିବା କେତେକ ଯାତ୍ରୀ ଭୟଭୀତ ହୋଇ ପାଟିକରି ଉଠିଲେ । ତେବେ କେହି କିଛି ଭାବିବା ପୂର୍ବରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡ଼ିଲା । ଏଥିରେ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଆକୁଳ ପଞ୍ଚାୟତ ମଲଣ୍ଡା ଗ୍ରାମରେ ଆଜି ସକାଳ ୭ଟା ବେଳେ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି ।

ଖବର ଅନୁସାରେ ଓଆର ୦୯ କ୍ୟୁ ୨୭୨୩ ନମ୍ବରବିଶିଷ୍ଟ ଅମ୍ବା ନାମକ ଏକ ଘରୋଇ ବସ୍‌ ଆଜି କଙ୍କଡ଼ାହାଡ଼ରୁ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳ କେନ୍ଦୁଝର ଅଭିମୁଖେ ବାହାରିଥିଲା । ପ୍ରତ୍ୟକ୍ଷଦର୍ଶୀ ଯାତ୍ରୀଙ୍କ କହିବା ଅନୁସାରେ ଗାଡ଼ି ଚାଲିଥିବା ସମୟରେ ମଲଣ୍ଡା ନିକଟରେ ଡ୍ରାଇଭର ହଠାତ ଚେତାଶୂନ୍ୟ ହୋଇ ଷ୍ଟିୟରିଂ ଉପରେ ଢଳିପଡ଼ିଥିଲେ । ବେଗ କମ ଥିଲେ ମଧ୍ୟ ବସ୍‌ଟି ରାସ୍ତାପାର୍ଶ୍ବକୁ ଓଲଟି ପଡ଼ିଥିଲା ।

ଆହତ ଯାତ୍ରୀମାନେ ହେଲେ ଟାଙ୍ଗିରୀର ପାର୍ବତୀ ମହାନ୍ତ (୩୮), ମଦନ ପୂର୍ତ୍ତି (୪୦), ନମକାନୀ କ୍ଷୀରମଣି ଚାମ୍ପିଆ(୫୪), ଗଙ୍ଗାଧର ତିରିଆ(୩୬), ଗୋଳାବନ୍ଧ ସୁରିଆ ବେହେରା(୪୫), କମଳାଙ୍ଗ ବନୀତା ପଲେଇ(୫୫), ଜୀରା ନାୟକ(୫୬), ପ୍ରଶାନ୍ତ ପ୍ରଧାନ(୪୨) ଓ ଯୋଡ଼ାର ବିଶ୍ବନାଥ ପ୍ରଧାନ। ଗୁରୁତର ୩ ଜଣ ହେଲେ ତେଲକୋଇ ଥାନା ରାଣୀବେଡ଼ାର ଭବାନୀ ମହାକୁଡ଼ (୧୬), ଗୋଡ଼ାର ବିଶ୍ବନାଥ ବେହେରା(୫୫), ଖଜୁରିଆର ପ୍ରଫୁଲ୍ଲ ଜୁଆଙ୍ଗ(୪୮) । ଖବରପାଇ ଘଟଣାସ୍ଥଳରେ ସମାଜସେବୀ ଦୀପକ ମାରାଣ୍ଡି, ଶିକ୍ଷକ ବିକ୍ରମାଦିତ୍ୟ ବେହେରା, ଡାକ୍ତର ନାୟକ, ଅପୁ ନାୟକ, ସୁଦାମ ନାୟକ, ଥବୀର ନାୟକ ପହଞ୍ଚି ବସ୍‌ର କାଚ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନା ପଠାଇଥିଲେ ।