ସଙ୍କଟରେ ଟେଲିକମ୍ ଜଗତ ! ଋଣ ବୋଝରେ ଅନେକ କଂପାନି

51

କନକ ବ୍ୟୁରୋ: ଦେଶର ଟେଲିକମ୍ (ଦୂରସଂଚାର) ଶିଳ୍ପ ଗଭୀର ସଙ୍କଟ ଦେଇ ଗତି କରୁଛି । ଋଣ ବୋଝ ତଳେ ଚାପି ହୋଇଯାଇଛନ୍ତି ଅନେକ କଂପାନି । ଆଗକୁ ବଢ଼ିବାକୁ ଏହି କଂପାନିଗୁଡ଼ିକ ସଂଘର୍ଷ କରୁଛନ୍ତି । ଏହି କଂପାନିଗୁଡ଼ିକର କାରବାର ଯଦି ବିଫଳ ହେବ ତେବେ ତାହାର ବହୁତ ବଡ଼ ଧରଣର ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।

ଟେଲିକମ୍ ବଜାର ଉପରେ ନଜର ରଖିଥିବା ବିଶେଷଜ୍ଞମାନେ କହିଛନ୍ତି ଯେ, ସଙ୍କଟମୟ ସ୍ଥିତି ଯୋଗୁଁ ଏହି କ୍ଷେତ୍ର ନିଯୁକ୍ତି ସୃଷ୍ଟି କରିବାର ଦକ୍ଷତା ହରାଇବ । ଅତ୍ୟାଧୁନିକ ପ୍ରଯୁକ୍ତି ମୂତୟନ କରିବାରେ ସମସ୍ୟା ସାମ୍ନା କରିବ । ଋଣ ପ୍ରଦାନ କରିଥିବା ବ୍ୟାଙ୍କଗୁଡ଼ିକ ଉପରେ ମଧ୍ୟ ଏହା ପ୍ରଭାବ ପକାଇବ । ସର୍ବୋପରି ଏହି କ୍ଷେତ୍ରରେ କାମ କରୁଥିବା ଦେଢ଼ ଲକ୍ଷ ଲୋକ ନିଯୁକ୍ତି ହରାଇବେ ।

ଟେଲିକମ୍ ଶିଳ୍ପର ସମସ୍ୟା ଦୂର କରିବା ନିମନ୍ତେ ଏକ ଟେଲିକମ୍ ଫାଇନାନ୍ସ କର୍ପୋରେସନ୍ ଗଠନ କରିବାକୁ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି । ଏହା ବ୍ୟତୀତ ଟେଲିକମ୍ ଶିଳ୍ପକୁ ଅଗ୍ରାଧିକାର କ୍ଷେତ୍ରର ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ସେମାନେ ପ୍ରସ୍ତାବ ଦେଇଛନ୍ତି । ଏହି ମାନ୍ୟତା ପ୍ରଦାନ କଲେ ଋଣ ହାସଲ କରିବା, ନଗଦ ଅର୍ଥ ପ୍ରବାହ ଏବଂ ଋଣ ପରିଚାଳନା କରିବା କଂପାନିଗୁଡ଼ିକ ପାଇଁ ଅଧିକ ସହଜ ହୋଇପାରିବ ।

ଟେଲିକମ୍ କଂପାନିଗୁଡ଼ିକର ବିପୁଳ ପରିମାଣର ଋଣ ସ୍ପେକ୍ଟ୍ରମ୍ ହାସଲ କରିବା ନିମନ୍ତେ ଗ୍ରହଣ କରାଯାଇଛି। ଏହା ଆଶ୍ଚର୍ୟ୍ୟର ବିଷୟ । ସରକାର ସ୍ପେକ୍ଟ୍ରମ୍ ମୂଲ୍ୟକୁ ସୁଲଭ କରି ଏବଂ ଋଣ ଅବଧି କୋହଳ କରି ଟେଲିକମ୍ କଂପାନିଗୁଡ଼ିକୁ ଆବଶ୍ୟକ ସହାୟତା ପ୍ରଦାନ କରିପାରିବେ ବୋଲି ଇଣ୍ଡିଆ ରେଟିଂ ଆଣ୍ଡ ରିସର୍ଚର ସହକାରୀ ନିର୍ଦେଶକ ତନୁ ଶର୍ମା କହିଛନ୍ତି । ପାହାଡ଼ ସଦୃଶ ସ୍ପେକ୍ଟ୍ରମ ଖର୍ଚ ଏବଂ ଭିତ୍ତିଭୂମି ଖର୍ଚ୍ଚକୁ ବାଦ ଦେବା ପରେ ଟେଲିକମ୍ କଂପାନିଗୁଡ଼ିକ ୨୯-୩୨% ଅର୍ଥ ଟିକସ ଏବଂ ଶୁଳ୍କ ଆକାରରେ ପ୍ରଦାନ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ଟେଲିକମ୍ କଂପାନିଗୁଡ଼ିକ ଉପରେ ଏବେ ୮ ଲକ୍ଷ କୋଟି ଟଙ୍କାର ଋଣ ବୋଝ ରହିଛି । ନୂତନ କଂପାନି ବଜାରରେ ପ୍ରବେଶ କରିବା ପରେ ତୀବ୍ର ପ୍ରତିଦ୍ୱନ୍ଦିତା ଏବଂ ମାଗଣା ସେବାର ପରମ୍ପରା ଆରମ୍ଭ ହେବା ପରେ ପୁରୁଣା କଂପାନିଗୁଡ଼ିକ ଅସୁବିଧା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ଏହି କ୍ଷେତ୍ରର ସମସ୍ୟା କେତେ ଅଧିକ ତାହା ସରକାର ମଧ୍ୟ ଭଲ ଭାବେ ଜାଣିଛନ୍ତି ।