ମହଙ୍ଗା ପଡିଲା ମାଗଣା ‘ଶାଢୀ’ ! ତେଲେଙ୍ଗାନାରେ ଶତାଧିକ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି

139

କନକ ବ୍ୟୁରୋ : ଫେଲ୍ ମାରିଲା ମାଗଣା ଶାଢୀ ବଂଟନ ଯୋଜନା । ଶାଢୀ ପାଇଁ ଶତାଧିକ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ । ସରକାର ମାଗଣା ଶାଢୀ ବାଂଟିବା ବେଳେ ମହିଳା ମାନଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଟଣା ଓଟରା । ଏପରିକି ପରସ୍ପରର ଚୁଟି ଟଣାଓଟଣା ସହ ହାତାହାତି ଭଳି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦରେ ତେଲେଙ୍ଗନା ସରକାର ।

ସୂଚନା ଅନୁସାରେ, ପାରମ୍ପାରିକ ଉତ୍ସବ ବଥୁକମ୍ମା ମୌକାରେ ମହିଳାଙ୍କ ପାଇଁ ୧କୋଟି ମାଗଣା ଶାଢୀ ବଂଟନ ପାଇଁ ରାଜ୍ୟସରକାର ନିଷ୍ପତି ନେଇଥିଲେ । ଏନେଇ ରାଜ୍ୟର ବୁଣାକାର ଓ ରାଜ୍ୟବାହାରୁ ମଗାଯାଇଥିଲା ପାଖାପାଖି ଗୋଟେ କୋଟି ଶାଢୀ । ବିତରଣ କାଯ୍ୟକ୍ରମ ଆରମ୍ଭ ହେବା କ୍ଷଣି ମହିଳାଙ୍କ ମଧ୍ୟରେ ଶାଢୀ ଖଣ୍ଡେ ପାଇବା ପାଇଁ ଆରମ୍ଭ ହୋଇଥିଲା ରୀତିମତ ପ୍ରତିଯୋଗୀତା ।

ଦେଖୁ ଦେଖୁ ଟଣାଓଟରାଠୁ ମାଡମରା ପର୍ଯ୍ୟନ୍ତ ପହଁଚିଥିଲା ଘଟଣା । ପରେ ହାତକୁ ଶାଡୀ ଆସିବା ପରେ ଏହାର କ୍ୱାଲିଟିକୁ ନେଇ ଉତେଜିତ ହୋଇଥିଲା ଶତାଧିକ ମହିଳା । ରାଜ୍ୟ ସରକାର ସେମାନଙ୍କୁ ଠକିବା ସହ ନିମ୍ନମାନର ଶାଡୀ ଦେଇଥିବା ଅଭିଯୋଗ ହୋଇଥିଲା । ଆକ୍ରୋଶିତ ମହିଳାମାନେ ଶାଡୀକୁ ଫୋପାଡିବା ସହ ନିଆଁ ଲଗାଇ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ କରିବା ପରେ ଏବେ ଚର୍ଚ୍ଚାରେ ତେଲେଙ୍ଗାନା ସରକାରଙ୍କ ଶାଢୀ ପଲିସି ।