ଅଣ-ବିଜେପି ମେଂଟ ପାଇଁ ବଳ ଗୋଟାଉଛନ୍ତି ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ! ଆଜି କୋଲକାତାରେ ମମତାଙ୍କୁ ଭେଟି ପାରନ୍ତି ଟିଆରଏସ ମୁଖ୍ୟ କେ. ଚନ୍ଦ୍ର ଶେଖର ରାଓ

47

କନକ ବ୍ୟୁରୋ : ଅଣ ବିଜେପି ମେଂଟ ପାଇଁ ବଳ ଗୋଟାଉଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ । ଆଜି କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବା ସମ୍ଭାବନା ରହିଛି । ମମତାଙ୍କୁ ଭେଟି ଏକ ଅଣ ବିଜେପି ମେଂଟ ପାଇଁ ଟିଏମସିର ସହଯୋଗ ଲୋଡିବେ କେସିଆର । କିଛିଦିନ ତଳେ ମୂଲ୍ୟବୋଧର ରାଜନୀତି କଥା କହି ଜାତୀୟ ରାଜନୀତିରେ ପ୍ରବେଶର ସଂକେତ ଦେଇଥିଲେ କେସିଆର । ବିଜେପି ପରି ସାଂପ୍ରଦାୟିକ ଶକ୍ତିକୁ ରୋକିବାକୁ ହେଲେ ଆଂଚଳିକ ଦଳଗୁଡିକ ଏକାଠି ହେବାକୁ ଆହ୍ୱାନ ଦେବା ପରେ ଏହାକୁ ସମର୍ଥନ ଜଣାଇଥିଲେ ମମତା ।

ସେପଟେ ଆଜି ସଂସଦରେ ମହାପରୀକ୍ଷା ଦେଇପାରନ୍ତି ମୋଦି ସରକାର । କାରଣ ଏନଡିଏ ସରକାରଙ୍କ ବିରୋଧରେ ଉଭୟ ଟିଡିପି ଓ ୱାଇଏସଆର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅନସ୍ଥା ନୋଟିସକୁ ଗ୍ରହଣ କରି ଭୋଟିଂ ପାଇଁ ନିଷ୍ପତି ନେଇପାରନ୍ତି ଲୋକସଭା ବାଚସ୍ପତି । ୪ ବର୍ଷର ମୋଦି ସରକାର ପ୍ରଥମ ଥର ଏକ ବଡ ପରୀକ୍ଷାର ସାମ୍ନା କରିପାରନ୍ତି । ଅନାସ୍ଥା ଆଗତ କରିବା ପାଇଁ ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ରହିଥିବାରୁ ମୋଦିଙ୍କୁ ଲୋକସଭାରେ ବିଶ୍ୱାସ ଜିତିବାକୁ ପଡିବ । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଓ ଭୋଟିଂ ପାଇଁ ୫୦ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଛି ।

କଂଗ୍ରେସ, ଅନାସ୍ଥାକୁ ସମର୍ଥନ କରୁଥିବାରୁ ଭୋଟିଂ ହେବା ଏକପ୍ରକାର ନିଶ୍ଚିତ । ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ମୋଦି ସରକାର ଲୋକସଭାରେ ଆସ୍ଥା ହରାଇବା ସମ୍ଭାବନା କ୍ଷୀଣ । ହେଲେ ୨୦୧୪ରେ ସରକାର ଗଢିବା ବେଳେ ବିଜେପି ଓ ଏନଡିଏର ଯେଉଁ ଦମ୍ଭ ଥିଲା, ତାକୁ ଏକ ଶକ୍ତ ଧକ୍କା ଲାଗିବା ସମ୍ଭାବନା ଅଧିକ । ତୃଣମୂଳ କଂଗ୍ରେସ, ଟିଆରଏସ, ଏସପି ଓ ବାମ ଦଳଗୁଡିକ, ମୋଦି ସରକାରଙ୍କ ବିରୋଧରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିସାରିଛନ୍ତି । ଆଉ ବର୍ତ୍ତମାନ ନଜର ରହିଛି ବିଜେଡି, ଏନଡିଏର ସହଯୋଗୀ ଦଳ ଶିବସେନା, ଏଆଇଏଡିଏମ୍ ପରି ଦଳ ଉପରେ ।