ଚମତ୍କାର ! ମାଆର କାନ୍ଦ ଶୁଣି ମରିଯାଇଥିବା ପୁଅର ଆଖିରୁ ଝରି ଆସିଲା ଲୁହ…

4,497

ମା’-ଏଇ ଗୋଟିଏ ଅକ୍ଷର ଭିତରେ ନିହିତ ରହିଛି ସବୁ ଶକ୍ତି। ଜନ୍ମଦାତ୍ରୀ ଜନନୀ ଓ ଜନ୍ମଭୂମି ଉଭୟେ ଗରୀୟସୀ, ଉଭୟେ ସନ୍ତାନଙ୍କୁ କୋଳରେ ଧାରଣ କରିଥାନ୍ତି। ହେଲେ ଜନନୀ ଗର୍ଭରେ ଧାରଣ କରିଥାଏ ସନ୍ତାନକୁ। ସନ୍ତାନ ପାଇଁ ସବୁ ସୁଖସ୍ବାଚ୍ଛନ୍ଦ୍ୟକୁ ନିର୍ବିକାରରେ ବଳି ଦେଇଥାଏ। ସନ୍ତାନର ଦୁଃଖରେ ତା’ର ଆଖିରୁ ଲୁହ ଝରେ, ସନ୍ତାନର ସୁଖରେ ସେ ସୁଖୀ ହୋଇଥାଏ। ମାଆର ପଣତକାନି ତଳେ ଆଶ୍ରା ନେଇଥିବା ସନ୍ତାନକୁ ଇନ୍ଦ୍ରଙ୍କର ଶକ୍ତିଶାଳୀ ବଜ୍ର ମଧ୍ୟ କିଛି କ୍ଷତି କରିପାରି ନଥାଏ । ତେବେ ମାଆର ମମତା ଆଗରେ ହାର ମାନିଛି ମୃତ୍ୟୁ । ଜଣେ ମାଆର କାନ୍ଦ ଦେଖି ଯମ ଦେବତାଙ୍କର ହୃଦୟ ମଧ୍ୟ ତରଳି ଯାଇଥିଲା । ଏହା କୌଣସି ମନଗଢା କାହାଣୀ ନୁହେଁ ବରଂ ନିରାଟ ସତ୍ୟ । ତେବେ ଏଭଳି ଏକ ଆଶ୍ଚର୍ଯ୍ୟକର ତଥା ଚମତ୍କାର ଘଟଣା ଦେଖିବାକୁ ମିଳିଛି ତେଲଙ୍ଗାନାର ପିଲ୍ଲାଲମେରି ନାମକ ଗାଁରେ । ଯେଉଁଠି ମାଆର କାନ୍ଦ ଶଦ୍ଦ ଶୁଣି ଜଣେ ମୃତ ଘୋଷିତ ପୁଅ ଆଖିରୁ ଝରିଆସିଥିଲା ଲୁହ ।

ତେଲଙ୍ଗାନାର ସୂର୍ଯ୍ୟପେଟ ଜିଲ୍ଲାର ପିଲ୍ଲାଲମେରି ଗାଁରେ ରହୁଥିବା ୧୮ ବର୍ଷୀୟ ଗନ୍ଧମ କିରଣଙ୍କର ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡି ଯିବାରୁ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । ମାତ୍ରା ସେଠାରେ ତାଙ୍କ ଅବସ୍ଥାରେ ସୁଧାର ଆସିବା ପରିବର୍ତ୍ତେ ଆହୁରୀ ଖରାପ ହେବାରେ ଲାଗିଥିଲା । ତେବେ ପରିସ୍ଥିତି ଅଣାୟତ ହେବା ଦେଖି ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଜୁଲାଇ ୩ ତାରିଖ ଯାଏଁ କୋମାରେ ରହିବା ପରେ ଗନ୍ଧମଙ୍କର ବ୍ରେନ ଡେଡ୍ ହୋଇଯାଇଥିବା କଥା ପରିବାର ଲୋକଙ୍କ କହିଥିଲେ ଏବଂ ଗନ୍ଧମଙ୍କର ବଂଚିବା ମୁସ୍କିଲ ବୋଲି ମଧ୍ୟ ପରିବାର ଲୋକଙ୍କୁ ରୋକ୍ ଠୋକ୍ ଶୁଣାଇ ଦେଇଥିଲେ । ଏପରିକି ତାଙ୍କୁ ଲାଇଫ ସପୋର୍ଟ ଉପକରଣରୁ ହଟା ଯାଇ, ଗନ୍ଧନଙ୍କର ଶରୀରକୁ ଘରକୁ ନେଇଯିବା ପାଇଁ କହିଥିଲେ ।

ହେଲେ ପୁଅର ଏଭଳି ଅବସ୍ଥାକୁ ସହଜରେ ସ୍ୱିକାର କରିପାରିନଥିଲେ ଗନ୍ଧମଙ୍କର ମାଆ । ତାଙ୍କର ପୂରା ବିଶ୍ୱାସ ଥିଲା କି ତାଙ୍କ ପୁଅ ଭଲ ହୋଇଯିବ ଏବଂ ତାଙ୍କୁ ମାଆ ବୋଲି ଡାକିବ । ଏଥିସହିତ ହିଁ ଜିଦ୍ ଧରି ବସିଲେ କି ମୋ ପୁଅ ଶେଷ ନିଶ୍ୱାସ ନେଉଥିବା ଯାଏଁ ମୋ ପାଖରେ ରହିବ । ଏହାପରେ ସେ ଗନ୍ଧମଙ୍କୁ ଲାଇଭ ସପୋର୍ଟ ଉପକରଣ ସହ ଘରକୁ ନେଇଯାଇଥିଲେ । ତେବେ ଘର ଲୋକେ ଗନ୍ଧମଙ୍କର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରୁଥିବା ବେଳେ ପୁଅ ପାଖରେ ନଖାଇ ନପିଇ ବସି କାନ୍ଦିଚାଲି ଥିଲେ ଗନ୍ଧମଙ୍କର ମାଆ । ମାଆର କାନ୍ଦିବାର ଶଦ୍ଦ ଶୁଣି ଗନ୍ଧମଙ୍କର ଆଖିରୁ ମଧ୍ୟ ଲୁହ ଚାଲିଆସିଥିଲା । ଯାହାକି କୌଣସି ଚମତ୍କାରଠାରୁ ବି କମ୍ ନଥିଲା । କାହିଁକି ନା ଯେଉଁ ପୁଅର ମସ୍ତିସ୍କ ମୃତ ହୋଇଯାଇଥିଲା ଏବଂ ଯାହାର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ମଧ୍ୟ ସରିଥିଲା ତା’ଠାରେ ଯେ ହଠାତ୍ ଏଭଳି ପରିବର୍ତ୍ତନ ଆସିବା, ସତରେ ଏହା କୌଣସି ଚମତ୍କାରଠାରୁ ବି କମ୍ ନଥିଲା । ଗନ୍ଧମଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଆଉ ସେ ବର୍ତ୍ତମାନ ପୂରା ସୁସ୍ଥ ଥିବା ଚିକିତ୍ସିତ କରୁଥିବା ଡାକ୍ତରମାନେ କହିଛନ୍ତି ।