ମମତାଙ୍କ ରାତିତମାମ ଧାରଣା ଜାରି । ଧାରଣାସ୍ଥଳରେ ଦିଦିଙ୍କୁ ଭେଟିଲେ ତେଜସ୍ୱ ଓ କାନିମୋଝି

ସେପଟେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ରକୁ ଟାର୍ଗେଟ କଲେ କେଜରିୱାଲଙ୍କ ସମେତ ବିରୋଧୀ ଦଳ ନେତା

146

କନକ ବ୍ୟୁରୋ: ସିବିଆଇ ବନାମ ମମତା ମାମଲାରେ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଯଦିଓ ତ୍ୱରିତ ବିଚାର ପାଇଁ ସିବିଆଇର ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି, ତଥାପି ଆଜି ଏହି ମାମଲାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି- ପ୍ରମାଣ ନଷ୍ଟ କରୁଥିବା ନେଇ ପଶ୍ଚିମବଙ୍ଗ ସରକାର କିମ୍ବା ପୋଲିସ କମିଶନରଙ୍କ ବିରୋଧରେ କୌଣସି ପ୍ରମାଣ ମିଳେ ତେବେ ଏଭଳି କଠୋର ପଦକ୍ଷେପ ନେବୁ ଯେ, ସେମାନଙ୍କୁ ପସ୍ତାଇବାକୁ ପଡିବ ।

ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରିଛନ୍ତି ସଲିସିଟର ଜେନେରାଲ । ପ୍ରଥମ ଆବେଦନ ହେଉଛି ପୋଲିସ କମିଶନର ତୁରନ୍ତ ଆତ୍ମସମର୍ପଣ କରି ଚିଟଫଣ୍ଡ ସଂପର୍କିତ କୌଣସି ତଥ୍ୟ, ପ୍ରମାଣକୁ ନଷ୍ଟ ନକରନ୍ତୁ । ଦ୍ୱିତୀୟ ଆବେଦନ ହେଉଛି ଅଦାଲତ ଅବମାନନା । ସିବିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ଆଗତ କରି ସଲିସିଟର ଜେନେରାଲ ତୁଷାର ମେହଟା କହିଥିଲେ ଯେ, କୋଲକାତାରେ ରାଜନୈତିକ ଦଳ ସହ ବରିଷ୍ଠ ପୋଲିସ ଅଧିକାରୀମାନେ ଧାରଣାରେ ବସିଥିବାରୁ ଏକ ଅଦ୍ଭୁତ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ମାମଲାର ଶୁଣାଣି ପରେ ଜଣାପଡ଼ିବ ସିବିଆଇ ବନାମ ପଶ୍ଚିମବଙ୍ଗ ସରକାର ମାମଲା କେଉଁ ରୂପ ନେଉଛି । ଏହାରି ଭିତରେ ମମତାଙ୍କ ସମର୍ଥନରେ ବାହାରିଛନ୍ତି ମୋଦି ବିରୋଧି ନେତାମାନେ ।

ଗୋଟିଏ ପଟେ, କେନ୍ଦ୍ର ବନାମ ପଶ୍ଚିମବଙ୍ଗ ଲଢ଼େଇ ଜାରି ଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଭେଟିଛନ୍ତି ଆରଜେଡ଼ି ପ୍ରମୁଖ ତେଜସ୍ୱୀ ଯାଦବ । ଗତକାଲି ରାତିରେ ତେଜସ୍ୱୀ ମେଟ୍ରୋ ଷ୍ଟେସନ ନିକଟ ଧାରଣାସ୍ଥଳ ପହଁଚିଥିଲେ । କେନ୍ଦ୍ର ସରକାର ସିବିଆଇକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ତେଜସ୍ୱୀ କହିଛନ୍ତି । ଏହା ବ୍ୟତୀତ ଆରଜେଡ଼ି ମମତାଙ୍କ ସମର୍ଥନରେ ଥିବା ସେ କହିଛନ୍ତି । ଅନ୍ୟପଟେ ଡିଏମକେ ନେତା କାନିମୋଝି ମଧ୍ୟ ଧାରଣାସ୍ଥଳ ଯାଇ ମମତା ବାନାର୍ଜିଙ୍କୁ ନିଜ ସମର୍ଥନ ଜଣାଇଛନ୍ତି ।

ସେପଟେ ଏହି ଘଟଣାରେ ମମତା ବାନାର୍ଜିଙ୍କ ସମର୍ଥନରେ ଆସିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଏନସିପି ମୁଖ୍ୟ ଶରଦ ପାୱାର ଓ ନ୍ୟାସନାଲ କନଫରେନ୍ସ ପ୍ରମୁଖ ଫାରୁକ୍ ଅବଦୁଲ୍ଲା । ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ମୋଦି ବିରୋଧୀ ଭାବେ ପରିଚିତ ଏହି ତୁଙ୍ଗ ନେତା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ସମର୍ଥନ କରିଛନ୍ତି । କେଜ୍ରିୱାଲ, ମୋଦିଙ୍କ କାର୍ଯ୍ୟକଳାପ ଗଣତନ୍ତ୍ର ବିରୋଧୀ କହିଛନ୍ତି । ସେପଟେ ଅନ୍ୟନେତା ମମତା ବାନାର୍ଜିଙ୍କ ସହ ଥିବା କହିଛନ୍ତି ।