ତେଜ ବାହାଦୁରଙ୍କ ପରେ ସୋସିଆଲ ମିଡିଆରେ ନିଜ ଯନ୍ତ୍ରଣା ବଖାଣିଲେ ସିଆରପିଏଫ ଯବାନ ଜିତ ସିଂ

41

କନକ ବ୍ୟୁରୋ : ବିଏସଏଫର ଯବାନ ତେଜ୍ ବାହାଦୁର ଯାଦବ, ନିମ୍ନମାନ ଖାଦ୍ୟକୁ ନେଇ ଭିଡିଓ ଜାରି କରିବା ପରେ ଦୁଃଖ ବଖାଣିଛନ୍ତି ଆଉ ଜଣେ ସିଆରପିଏଫ ଯବାନ । ସିଆରପିଏଫ ଯବାନ ଜିତ୍ ସିଂ ଏକ ଭିଡିଓ ମାଧ୍ୟମରେ ତାଙ୍କ ଦୁଃଖକୁ ପ୍ରକାଶ କରିଛନ୍ତି । ସେ ଏହି ଭିଡିଓ ଜରିଆରେ ସିଆରପିଏଫ ଯବାନଙ୍କ ସମସ୍ୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେଇବା ପାଇଁ ଅନୁରୋଧ କରିଛନ୍ତି । କହିଛନ୍ତି, ଦେଶରେ ଏମିତି କୌଣସି କାର୍ଯ୍ୟ ନାହିଁ ଯାହାକୁ ସିଆରପିଏଫ୍ ଯବାନ କରୁନାହାଁନ୍ତି ।

‘ଲୋକସଭା ନିର୍ବାଚନ’, “ରାଜ୍ୟସଭା ନିର୍ବାଚନ’, ଏପରିକି ଛୋଟ ଛୋଟ ପଂଚାୟତ ନିର୍ବାଚନରେ କର୍ତ୍ତବ୍ୟ ସମ୍ପାଦାନ କରୁଛୁ’ । ମନ୍ଦିର,ମସଜିଦ୍, ଗୁରୁଦ୍ୱାର ସବୁଠି ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେଉଛୁ’ । ‘କିନ୍ତୁ ଭାରତୀୟ ଆର୍ମୀ ଓ ଅର୍ଦ୍ଧ ସାମରୀକ ବାହିନୀ ଭିତରେ ସରକାରୀ ସୁବିଧା ପାଇବାରେ ଅନେକ ପାତର ଅନ୍ତର କରାଯାଉଛି’ । ଶତ୍ରୁପକ୍ଷର ଗୁଳିକୁ ସାମ୍ନା କରି ଦେଶକୁ ସୁରକ୍ଷା ଦେଉଥିବା ଯବାନଙ୍କୁ, ଶିକ୍ଷକମାନଙ୍କୁ ମିଳୁଥିବା ଦରମା କି ସୁବିଧା ମିଳୁନଥିବା ସେ ତାଙ୍କ ଭିଡିଓରେ କହିଛନ୍ତି ।

ଜିତ୍ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବାକୁ ଚାହିଁଛନ୍ତି, ଦେଶବାସୀ ଯେତେବେଳେ ବିଭିନ୍ନ ପର୍ବ ପର୍ବାଣୀ ମନାଉଥାନ୍ତି ସିଆରପିଏଫ ଯବାନମାନେ ସେତେବେଳେ ଘଂଚ ଜଙ୍ଗଲ ହଉ ବା ସୀମାରେ ଜଗି ରହିଥାନ୍ତି । ଏଥିରେ ତାଙ୍କର ଦୁଃଖ ନାହିଁ । ହେଲେ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସୁଯୋଗକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ‘ଆମ ପାଇଁ ପେନସନର ସୁବିଧା ନାହିଁ’‘ଏକ୍ସ-ସର୍ଭିସ୍ ମ୍ୟାନ କୋଟା ନାହିଁ’ । ୨୦ ବର୍ଷ ଚାକିରି କରିବା ପରେ କଣ କରିବୁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଜିତ୍ ।

‘ଭାରତୀୟ ଆର୍ମୀକୁ ସବୁ ପ୍ରକାର ସୁବିଧା ମିଳୁଥିବା ବେଳେ ପାରାମିଲିଟାରୀ ଫୋର୍ସଙ୍କୁ କାହିଁକି ମିଳିବ ନାହିଁ ସେ, ଜାଣିବାକୁ ଚାହିଁଛନ୍ତି । ଭିଡିଓ ମାଧ୍ୟମରେ ଜିତ୍ ସିଂହ କହିଛନ୍ତି ଯଦି ସିଆରପିଏଫର ଯବାନମାନେ ଆର୍ମୀ ସହ ସମକକ୍ଷ ହୋଇ କାମ କରିବେ ତେବେ ଆମକୁ କାହିଁକି ସମାନ ସୁବିଧା ସୁଯୋଗ ମିଳିବ ନାହିଁ । ତେଜ ବାହାଦୁରଙ୍କ ପରେ ଏବେ ଜିତ୍ ସିଂହଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସେ ଏହି ଭିଡିଓକୁ ବହୁ ପରିମାଣରେ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଂଚାଇବା ପାଇଁ ନିବେଦନ କରିଛନ୍ତି ।