ନିମ୍ନ ମାନର ଖାଦ୍ୟ କଥା ଉଠାଇ ଫସିଲେ ବିଏସଏଫ ଯବାନ : ତେଜ ବାହାଦୂର ଗିରଫ ହୋଇଥିବା ଅଭିଯୋଗ ଆଣିଲେ ପତ୍ନୀ ଶର୍ମିଳା

28

କନକ ବ୍ୟୁରୋ : ବିଏସଏଫ ଯବାନ ତେଜ ବାହାଦୂରଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି ତେଜଙ୍କ ପତ୍ନୀ ଶର୍ମିଳା । ଜାନୁୟାରୀ ୩୧ତାରିଖରେ ଇଚ୍ଛାଧିନ ଅବସର ଗ୍ରହଣ ପରେ ସେ ଘରକୁ ଫେରିବାର ଥିଲା । କିନ୍ତୁ ସେ ଫେରିନଥିଲେ । ତେଜ ବାହାଦୂରଙ୍କ ଇଚ୍ଛାଧିନ ଅବସରକୁ ପ୍ରଥମେ ଗ୍ରହଣ କରାଯାଇଥିଲା । କିନ୍ତୁ ପରେ ଏହାକୁ ଅଗ୍ରାହ୍ୟ କରିଦିଆଯିବା ସହ ତାଙ୍କୁ ଗିରଫ କରି ରଖାଯାଇଛି ବୋଲି ତେଜ ବାହାଦୂରଙ୍କ ପତ୍ନୀ ଶର୍ମିଳା ଅଭିଯୋଗ ଆଣିଛନ୍ତି ।

ତେଜ ବାହାଦୂରଙ୍କୁ ଗିରଫ କରାଯାଇଥିବା ନେଇ ସେ ଫୋନ୍ ମାଧ୍ୟମରେ ଶର୍ମିଳାଙ୍କୁ ଜଣାଇଥିବା କହିଛନ୍ତି । ବିଏସଏଫ ଯବାନ ତେଜ ବାହାଦୂର ଯାଦବଙ୍କ ଇଚ୍ଛାଧିନ ଅବସର ଗ୍ରହଣକୁ ଅଗ୍ରାହ୍ୟ କରିଦେଇଛି ବିଏସଏଫ । ବିଏସଏଫ କ୍ୟାମ୍ପରେ ନିମ୍ନ ମାନର ଖାଦ୍ୟ ପରସା ଯାଉଥିବା ନେଇ ଅଭିଯୋଗ କରିଥିଲେ କନଷ୍ଟେବଳ ତେଜ ବାହାଦୂର ଯାଦବ । ତେବେ ଏହି ଘଟଣାର ତଦନ୍ତ ଚାଲିଥିବାରୁ ସେ ଚାକିରୀରୁ ଅବସର ଗ୍ରହଣ କରିପାରିବେ ନାହିଁ ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି ।

ଏହାସହ ତାଙ୍କୁ ଗିରଫ କରାଯାଇଥିବା ଘଟଣାକୁ ବିଏସଏଫ ଖଣ୍ଡନ କରିଛି । ସୀମାରେ ନିୟୋଜିତ ଯବାନଙ୍କୁ ଅତି ନିମ୍ନ ମାନର ଖାଦ୍ୟ ପରସା ଯାଉଥିବା ନେଇ ତେଜ ବାହାଦୂରଙ୍କ ଭିଡିଓ ଭାଇରାଲ ହୋଇଥିଲା । ଏପରିକି ସୀମା ସୁରକ୍ଷା କରୁଥିବା ଯବାନଙ୍କୁ ଅନେକ ସମୟରେ ଭୋକ ଉପବାସରେ ଶୋଇବାକୁ ପଡୁଥିବା ମଧ୍ୟ ସେ ଅଭିଯୋଗ ଆଣିଥିଲେ । ଭିଡିଓ ଜରିଆରେ ସେ ପ୍ରଧାନମନ୍ତ୍ରୀଙ୍କୁ ଏଥିପ୍ରତି ନଜର ଦେବା ପାଇଁ ଅନୁରୋଧ କରିଥିଲେ । ତେଜ ବାହାଦୂରଙ୍କ ଭିଡିଓ ଭାଇରାଲ ହେବା ପରେ ଗୃହମନ୍ତ୍ରୀ ରାଜନାଥ ସିଂହ ଏହି ଘଟଣାରେ ବିଏସଏଫକୁ ରିପୋର୍ଟ ତଲବ କରିଥିଲେ ।